Site icon ଆଜିକାଲି

ଶ୍ରୀଲଙ୍କା ଆଗରେ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରୋହିତ ଶର୍ମାଙ୍କ ଭାରତୀୟ ଟିମ୍‌ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍‌ ହରାଇ ୩୫୭ ରନ୍‌ ସଂଗ୍ରହ କରିଛି। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୫୮ ରନ୍‌ର ଲକ୍ଷ୍ୟ ମିଳିଛି।

ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା ୨ଟି ବଲ୍‌ ସାମ୍ନା କରି ୪ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରିଯାଇଥିଲେ। ତାଙ୍କର ସ୍ଥାନ ପୂରଣ କରିଥିଲେ ଅଭିଜ୍ଞ ବ୍ୟାଟର ବିରାଟ କୋହଲି। ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ଙ୍କ ସହିତ କୋହଲି ଦ୍ବିତୀୟ ୱିକେଟ୍‌ରେ ଶତକୀୟ ଭାଗିଦାରୀ କରିଥିଲେ। ଟିମ୍‌ ଇଣ୍ଡିଆ ପାଇଁ ବିରାଟ କୋହଲି ୯୪ଟି ବଲ୍‌ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍‌ କରି ଏବଂ ଶୁବମନ୍‌ ଗିଲ ୯୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଯୁବ ବ୍ୟାଟର ଆୟର ବ୍ୟକ୍ତିଗତ ୮୨ ରନ୍‌ କରିଥିଲେ। ସେ ୫୬ଟି ବଲ୍‌ରୁ ୩ଟି ଚୌକା ଓ ୬ଟି ବିଶାଳ ଛକା ମାରିଥିଲେ।

ମଧ୍ୟକ୍ରମ ବ୍ୟାଟର କେଏଲ୍‌ ରାହୁଲ ଦଳ ପାଇଁ ୨୧ ରନ୍‌ ଯୋଡ଼ିଥିଲେ। ସେ ୧୯ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ଏହି ରନ୍‌ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ମାତ୍ର ୧୨ ରନ୍‌ ଅମଳ ହୋଇଥିଲା। ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଯିବା ପୂର୍ବରୁ ସୂର୍ଯ୍ୟକୁମାର ୯ଟି ବଲ୍‌ ଖେଳି ୨ଟି ଚୌକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରିଥିଲେ। ମହମ୍ମଦ ସାମି ୨ରନ୍‌ ଓ ଯଶପ୍ରୀତ ବୁମରା ଅପରାଜିତ ଗୋଟିଏ ରନ୍‌ କରିଥିଲେ।

ଶ୍ରୀଲଙ୍କା ପାଇଁ ଦିଲସାନ ମଧୁଶଙ୍କା ଚମକପ୍ରଦ ବୋଲିଂ କରିଥିଲେ। ସେ ଏକାକୀ ୫ଜଣ ଭାରତୀୟ ଖେଳାଳିଙ୍କୁ ପାଭଲିଅନ ପଠାଇଥିଲେ। ଦୁଷ୍ମନ୍ତ ଚାମିରାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ବେଳେ ଭାରତୀୟ ବ୍ୟାଟର ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସାମି ରନ୍‌ ଆଉଟ୍‌ ହୋଇଥିଲେ।

Exit mobile version