Site icon ଆଜିକାଲି

ଚିତ୍ତୁରରେ ସଡ଼କ ଦୁର୍ଘଟଣା, ଚାରି ଓଡିଆଙ୍କ ମୃତ୍ୟୁ

ଚିତ୍ତୁର : ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଆଜି ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୪ ଜଣଙ୍କର ମୃତ୍ୟୁ ହୋଇଛି। ଚିତ୍ତୁର ଜିଲା ତାଭନମପାଲେ ମଣ୍ଡଳରେ ଏକ ମାଲବାହୀ ଟ୍ରକକୁ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡିଛି। ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଉମେଶ ଚନ୍ଦ୍ର ସାହୁ, (୪୬), ତ୍ରିଲୋଚନ ନାୟକ (୬୩), ରଶ୍ମିତା ସାହୁ (୪୫) ଏବଂ ବିଜୟ ନାୟକ (୫୬) ।

ସୂଚନା ଅନୁଯାୟୀ, ଏକ ରୋଗରେ ପୀଡିତ ଉମେଶ ଚନ୍ଦ୍ର ସାହୁଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲକୁ ନେଇଥିଲେ। ସେଠାରୁ ସୁସ୍ଥ ହେବା ପରେ ଆଜି ସକାଳେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ସେ ଭୁବନେଶ୍ୱର ଫେରୁଥିବା ବେଳେ ଚିତ୍ତୁର ଜିଲ୍ଲା ଗୁଣ୍ଡାଲାପଲ୍ଲୀ ନିକଟ ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଓଡ଼ିଶାର ଏକ ଟ୍ରକ୍‌ର ପଛପଟକୁ ଆମ୍ବୁଲାନ୍ସଟି ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ଉମେଶ ସାହୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ଅଛନ୍ତି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Exit mobile version