Site icon ଆଜିକାଲି

ସୁପ୍ରିମକୋର୍ଟରେ ୫ ନୂଆ ଜଜ୍‌ଙ୍କ ନିଯୁକ୍ତିକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂଆ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଖୁବ ଶୀଘ୍ର ଏହି ନିଯୁକ୍ତି କରାଯିବ ବୋଲି ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛନ୍ତି । ସୁପ୍ରିମକୋର୍ଟକୁ ପଦୋନ୍ନତି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଷ୍ଟିସ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି), ପିଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ରା (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି ।

ଭାରତର ପ୍ରଧାନ ବିଚାରପତି ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ଼ ସୋମବାର ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବା ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୩ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଁ କଲେଜିୟମ ପାଞ୍ଚ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲେ।

ପରବର୍ତ୍ତୀ ସମୟରେ ଜାନୁୟାରୀ ୩୧ରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ କଲେଜିୟମ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ନାମ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ସକାଶେ ସୁପାରିସ କରିଥିଲେ।

ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ମୋଟ ସ୍ବୀକୃତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୪ । ବର୍ତ୍ତମାନ ୨୭ ଜଣ ବିଚାରପତିଙ୍କ ସହ ସର୍ବୋଚ୍ଚ ନ୍ୟାୟାଳୟ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଏନେଇ କୋର୍ଟ ସରକାରଙ୍କୁ ଚେତାବନୀ ଦେଇ ଆମକୁ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରନାହିଁ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଆଟର୍ଣ୍ଣି ଜେନେରାଲ୍ ଭେଙ୍କଟାରମଣି ବିଚାରପତିଙ୍କ ନିଯୁକ୍ତି ପାଇଁ ରବିବାର ସୁଦ୍ଧା ବିଜ୍ଞପ୍ତି ଜାରି କରାଯିବ ବୋଲି ଆଶ୍ଵାସନା ଦେଇଥିଲେ ।

ସୂଚନା ଯେ, କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ମଧ୍ୟରେ ବାଦବିବାଦ ଲାଗି ରହିଛି।

Exit mobile version