Site icon ଆଜିକାଲି

ହ୍ବାଟସଆପକୁ ନେଇ ଆସିଲା ଚିନ୍ତାଜନକ ଖବର ! ଭାରତ ସମେତ ୮୪ଟି ଦେଶର ୫୦ କୋଟି ୟୁଜରଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ହ୍ବାଟସଆପକୁ ସବୁଠାରୁ ସୁରକ୍ଷିତ ମେସେଜିଂ ପ୍ଲାଟଫର୍ମ ଭାବେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ହ୍ବାଟସଆପକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ରିପୋର୍ଟ ଅନୁଯାୟୀ, ୮୪ଟି ଦେଶର ପ୍ରାୟ ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ମୋବାଇଲ୍ ନମ୍ବର ଲିକ୍ ହୋଇଛି। ଏହି ସବୁ ଡାଟା ବିକ୍ରି ପାଇଁ ଉପଲବ୍ଧ କରାଯାଇଛି, ଯାହା ହ୍ବାଟସଆପ୍ ୟୁଜରଙ୍କ ସୁରକ୍ଷା ଦୃଷ୍ଟିରୁ ବିପଜ୍ଜନକ । ଏହି କାରଣରୁ ହ୍ବାଟସଆପ୍ ୟୁଜର ବ୍ୟାଙ୍କ ଫ୍ରଡ୍ ସହ ଅନେକ ପ୍ରକାରର ଠକେଇର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଯେଉଁ ଦେଶରେ ମୋବାଇଲ୍ ନମ୍ବର ତଥ୍ୟ ଲିକ୍ ହୋଇଛି, ସେଥିମଧ୍ୟରେ ଆମେରିକା, ବ୍ରିଟେନ, ଇଜିପ୍ଟ, ଇଟାଲୀ, ସାଉଦି ଆରବ ଏବଂ ଭାରତ ଭଳି ଦେଶ ରହିଛନ୍ତି । ଏହା ସବୁଠୁ ବଡ଼ ଡାଟା ଲିକ୍ ବୋଲି କୁହାଯାଉଛି । ପ୍ରାୟ ୫୦ କୋଟି ୟୁଜରଙ୍କ ତଥ୍ୟ ଲିକ୍ ହୋଇଛି। ସାଇବରନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ହ୍ବାଟସଆପ୍ ଡାଟା ବିକ୍ରି ନେଇ ହ୍ୟାକିଂ କମ୍ୟୁନିଟି ଫୋରମରେ ଏକ ପୋଷ୍ଟ କରାଯାଇଛି। ସେମାନେ ୪୮୭ ମିଲିୟନ ହ୍ବାଟସଆପ୍ ମୋବାଇଲ୍ ୟୁଜରଙ୍କ ୨୦୨୨ ଡାଟାବେସ୍ ବିକ୍ରି କରୁଛନ୍ତି ବୋଲି ଦାବି ହୋଇଛି ।

ରିସର୍ଚ୍ଚରମାନେ ଦାବି କରିଛନ୍ତି ଯେ ସାଇବର ଆଟାକର୍ ୫୦୦ ମିଲିୟନ ହ୍ବାଟସଆପ୍ ୟୁଜରଙ୍କ ମୋବାଇଲ୍ ଡାଟା କିଣି ପାରନ୍ତି । ଯାହାକୁ ଏହି ଡାଟାବେସ୍ ମାଧ୍ୟମରେ ଫିସିଂ ଆଟାକ୍ କରିବାରେ ବ୍ୟବହାର କରାଯାଇପାରିବ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ହ୍ବାଟସଆପ୍ ୟୁଜରମାନଙ୍କୁ ଅଜଣା ନମ୍ବରରୁ କଲ୍ ଏବଂ ମେସେଜ୍ ଆସିପାରେ।

ଲିକ୍ ହୋଇଥିବା ଡାଟାବେସ୍ ରେ ପ୍ରାୟ ୩୨ ମିଲିୟନ ଆମେରିକୀୟ ୟୁଜରଙ୍କ ତଥ୍ୟ ରହିଥିବା ବେଳେ ଇଜିପ୍ଟର ୪୫ ମିଲିୟନ, ଇଟାଲୀର ୩୫ ମିଲିୟନ ଏବଂ ସାଉଦି ଆରବରେ ୨୯ ମିଲିୟନ ହ୍ବାଟସଆପ୍ ୟୁଜର ଅଛନ୍ତି। ସେହିପରି ଫ୍ରାନ୍ସର ୨୦ ମିଲିୟନ ଏବଂ ତୁର୍କୀରେ ୨୦ ମିଲିୟନ, ରୁଷର ୧୦ ମିଲିୟନ ଏବଂ ବ୍ରିଟେନରେ ୧୧ ମିଲିୟନ ୟୁଜର ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଆମେରିକାର ଡାଟା ସେଟ୍ ପ୍ରାୟ ୫,୭୧,୬୯୦ ଟଙ୍କାରେ ବିକ୍ରି ହେଉଛି। ବ୍ରିଟେନ ଏବଂ ଜର୍ମାନୀ ଡାଟା ସେଟ୍ ଯଥାକ୍ରମେ ୨,୦୪,୧୭୫ ଟଙ୍କା ଏବଂ ୧,୬୩,୩୪୦ ଟଙ୍କାରେ ବିକ୍ରି ହେଉଛି ।

Exit mobile version