ନୂଆଦିଲ୍ଲୀ : ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନଙ୍କ ପାଇଁ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ଏକ ‘ଭାରତ ପର୍ବ’ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମାନଜନକ ଚଳଚ୍ଚିତ୍ର ଉତ୍ସବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଶିଳ୍ପର ସଦସ୍ୟମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ମାର୍ଚେ ଡୁ ଫିଲ୍ମସରେ ଭାରତର ସୃଜନଶୀଳ ଅର୍ଥନୀତିକୁ ପ୍ରଦର୍ଶନ କରିବେ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି।
ବିଶ୍ୱର ଚଳଚ୍ଚିତ୍ର ସେଲିବ୍ରିଟି, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ, କ୍ରେତା ଏବଂ ବିକ୍ରୟ ଏଜେଣ୍ଟମାନଙ୍କ ସହ ଯୋଡ଼ି ହେବା ଏବଂ ସମସ୍ତଙ୍କ ପାଇଁ ସୃଜନଶୀଳ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ପର୍ବ ଆୟୋଜନ ହେବ। ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେବାକୁ ଥିବା ୫୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ୍ ପୋଷ୍ଟର ଓ ଟ୍ରେଲର ମଧ୍ୟ ଭାରତ ପର୍ବରେ ଉନ୍ମୋଚିତ ହେବ।