Site icon ଆଜିକାଲି

ସିଜେଆଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କରିବ ନିଟ ସହ ଜଡିତ ସମସ୍ତ ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ ୟୁଜି ପେପର ଲିକ ବିବାଦକୁ ନେଇ ଏକ ବଡ ଅପଡେଟ ଆସିଛି। ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଏହା ସହ ଜଡିତ ମାମଲାଗୁଡ଼ିକ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଜୁଲାଇ ୮ ରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ନିଟ ୟୁଜି ସହ ଜଡିତ ମାମଲା ସୁପ୍ରିମକୋର୍ଟଙ୍କ ଅବାକାଶ ବେଞ୍ଚ ଦ୍ୱାରା ଶୁଣାଣି ହେଉଥିଲା। ସମସ୍ତ ଆବେଦନ ଉପରେ ଶୁଣାଣି ପାଇଁ ବେଞ୍ଚ ଜୁଲାଇ ୮ସ୍ଥିର କରିଛି। ଏଥିସହ, ଜୁଲାଇ ୬ରୁ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା ବନ୍ଦ କରିବାକୁ ମନା କରାଯାଇଛି।

ସୁପ୍ରିମକୋର୍ଟଙ୍କ ଡେଲି କଜ ତାଲିକା ଅନୁଯାୟୀ ଶିବାଙ୍ଗୀ ମିଶ୍ର ଏବଂ ଅନ୍ୟମାନଙ୍କ ବନାମ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ ଅନ୍ୟମାନଙ୍କ ମାମଲା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଯେଉଁଥିରେ ଜଷ୍ଟିସ ଜେ.ବି ପାଦରିବାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୮ରୁ ସକାଳ ୧୦ଟା ୩୦ରେ ଆରମ୍ଭ ହେବ।

ସୂଚନାଯୋଗ୍ୟ, ମେ ୫ରେ ନିଟ ୟୁଜି ପରୀକ୍ଷା ଆୟୋଜନ କରାଯାଇଥିଲା। ଏଥିପାଇଁ ୨୩ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ। ଜୁନ ୪ ରେ ନିଟ ୟୁଜି ଫଳାଫଳ ଘୋଷଣା କରାଯାଇଥିଲା। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ନିଟ ସମ୍ବନ୍ଧୀୟ ଅନିୟମିତତା ଅଭିଯୋଗ ଆରମ୍ଭ ହୋଇଥିଲା। ଫଳାଫଳ ପରେ, ପ୍ରଥମେ ଗ୍ରେସ ମାର୍କସ ବିବାଦ ଏବଂ ପରେ ପେପର ଲିକ ସାମ୍ନାକୁ ଆସିଥିଲା। ପେପର ଲିକ ଅଭିଯୋଗରେ ଏପର୍ଯ୍ୟନ୍ତ କେତେଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ନିଟ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଛି।

Exit mobile version