Site icon ଆଜିକାଲି

‘କଳଙ୍ଗା’ ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ‘କଳଙ୍ଗା’ ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ । ପଶ୍ଚିମ ଓଡିଶାର ବିଶେଷ ଭାବେ ବରଗଡ, ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ‘କଳଙ୍ଗା’ ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ‘କଳଙ୍ଗା’ ସମାଜକୁ ଆଦିବାସୀ ମାନ୍ୟତା ଦେବା ପାଇଁ ଦାବିପତ୍ର ଦେବା ସହ ଆଲୋଚନା କରିଛନ୍ତି ।

‘କଳଙ୍ଗା’ ସମାଜର ପ୍ରାୟ ୫୦ ହଜାର ପରିବାର ଓଡିଶାରେ ବସବାସ କରୁଛନ୍ତି । ଏହି ସମାଜ ଜଙ୍ଗଲ ଓ ପ୍ରକୃତି ଉପରେ ନିର୍ଭର କରି ଚଳନ୍ତି । ଏହି ସମାଜ ‘ଦୁଲ୍ଲଦେଓ’ ଙ୍କୁ ତାଙ୍କର ମୁଖ୍ୟ ଦେବତା ଭାବେ ପୂଜା କରନ୍ତି । ରାଜ୍ୟ ସରକାର ଯଦି କଳଙ୍ଗା ସମାଜକୁ ଆଦିବାସୀ ଶ୍ରେଣୀ ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିବେ ତାହେଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସହ ଆଲୋଚନାର କରି ଏ ଦିଗରେ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ମଧ୍ୟ ସାକ୍ଷାତ କରି ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ‘କଳଙ୍ଗା’ ସମାଜର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ସର୍ବଶ୍ରୀ ଜୟପତି ସାଗର, ଚକ୍ରଧର ସାଗର, ଗିରିଧାରି ସରଜାଲ, ଜଗଜୀବନ ଗିର୍ଣ୍ଣା, ହୀରାଧର ବିହାର, ନନ୍ଦକିଶୋର ସରାଫ, ଥବିର ଗିର୍ଣ୍ଣା, ଗଙ୍ଗାଧର ସାଗର, ଜୟରାମ ଧୌନରିଆ, ବାସୁଦେବ ରେଙ୍ଗାଲ ସାମିଲ ହୋଇଥିଲେ ।

Exit mobile version