Site icon ଆଜିକାଲି

ଆପ୍ ନେତ୍ରୀ ଅତିଶୀଙ୍କ ଅଭିଯୋଗ: ବିଜେପିରେ ନ ମିଶିଲେ ମିଳୁଛି ଗିରଫ ଧମକ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରିବାକୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଅତିଶୀ । ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଜରିଆରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଅଫର୍ ଦେଇଛି । ନଚେତ୍ ଏକ ମାସ ମଧ୍ୟରେ ତାଙ୍କୁ ମଧ୍ୟ ଇଡି ଗିରଫ କରିବ ବୋଲି ଧମକ ଦିଆଯାଉଛି । ଆସନ୍ତା ଦୁଇ ମାସ ମଧ୍ୟରେ ବିଜେପି ତାଙ୍କ ସହ ଆପର‌ ଅନ୍ୟ ତିନି ନେତା ସୌରଭ ଭରଦ୍ୱାଜ, ରାଘବ ଚଢ଼ା ଏବଂ ଦୁର୍ଗେଶ ପାଠକଙ୍କୁ ଗିରଫ କରିବାକୁ ଯୋଜନା କରୁଛି ବୋଲି ଅଭିଯୋଗ କରିଛନ୍ତିି ଅତିଶୀ ।

ଅବକାରୀ ଦୁର୍ନୀତି ମାମଲାରେ ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସରକାରରେ ମନ୍ତ୍ରୀ ଥିବା ଅତିଶୀ ଓ ସୌରଭ ଭରଦ୍ୱାଜଙ୍କ ନାଁ ନେଇଛନ୍ତି ବୋଲି ଇଡି ଗତକାଲି କୋର୍ଟରେ କହିଥିଲା । ଦିନକ ପରେ ଅତିଶୀ ବିଜେପି ବିରୋଧରେ ଏପରି ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ, ସଞ୍ଜୟ ସିଂହ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଶୀର୍ଷ ନେତା ଗିରଫ ହୋଇ ସମ୍ପ୍ରତି ଜେଲରେ ଅଛନ୍ତି। ଏହି ଚାରିଜଣ ନେତାଙ୍କ ପରେ ଏବେ ଦଳର ଆଉ ୪ ଜଣ ନେତାଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଅତିଶୀ ଦାବି କରିଛନ୍ତି ।

Exit mobile version