Site icon ଆଜିକାଲି

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଆରୋନ ଫିଞ୍ଚ

ସିଡନୀ: ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଟି-୨୦ ଅଧିନାୟକ । ତାଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା। ଆରୋନ ଫିଞ୍ଚ ୭୬ ଟି-୨୦ ଏବଂ ୫୫ ଟି ଦିନିକିଆରେ ଅଷ୍ଟ୍ରେଲୀୟ ଦଳର ନେତୃତ୍ବ ନେଇଛନ୍ତି । ଫିଞ୍ଚ ପାଞ୍ଚଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଫିଞ୍ଚ ତାଙ୍କ ଅବସର ବିଷୟରେ କହିଛନ୍ତି, “୨୦୨୪ରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ଯାଏ ମୁଁ ଖେଳିବି ନାହିଁ ବୋଲି ହୃଦୟଙ୍ଗମ ହୋଇଛି । ତେଣୁ ବର୍ତ୍ତମାନ ପଦ ଛାଡ଼ିବାର ଉପଯୁକ୍ତ ସମୟ । ସେହି ଟୁର୍ନାମେଣ୍ଟ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦଳକୁ ସମୟ ଦେବି। ମୁଁ ମଧ୍ୟ କହିବାକୁ ଚାହେଁ ମୋର ଅନ୍ତର୍ଜାତୀୟ କ୍ୟାରିଅରରେ ମୋତେ ସମର୍ଥନ କରିଥିବା ପ୍ରଶଂସକଙ୍କୁ ଅଶେଷ ଧନ୍ୟବାଦ। ”

ଜାନୁଆରୀ ୨୦୧୧ ରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ଆନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ଫିଞ୍ଚ ୮,୮୦୪ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରୁ ୧୭ଟି ଶତକ ଏବଂ ଦୁଇଟି ଟି-୨୦ ଶତକ । ଫିଞ୍ଚ ଗତ ବର୍ଷ ସେପ୍ଟେମ୍ବରରେ ଦିନିକିଆରୁ ଅବସର ନେଇଥିଲେ । କିନ୍ତୁ ସେ ଟି-୨୦ରେ ଅଷ୍ଟ୍ରେଲିଆ ଅଧିନାୟକତ୍ୱ ଜାରି ରଖିଥିଲେ। ତେବେ ଫିଞ୍ଚଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ଗତବର୍ଷ ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଟାଇଟଲ ବଜାୟ ରଖିପାରିଲେନି । ଫିଞ୍ଚ ଏହି ଟୁର୍ନାମେଣ୍ଟରେ ତାଙ୍କର ଶେଷ ମ୍ୟାଚ୍ ଖେଳି ୬୩ ରନ୍ ସଂଗ୍ରହ କରିଥିଲେ । ୨୦୨୨ ସଂସ୍କରଣରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା ।

Exit mobile version