Site icon ଆଜିକାଲି

ଦୁବାଇରେ ଧରାପଡ଼ିଲା ମହାଦେବ ବେଟିଂ ଆପ୍ ମାମଲାର ଅଭିଯୁକ୍ତ, ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାରେ ଅନ୍ୟତମ ଅଭିଯୁକ୍ତ ରବି ଉପଲକୁ ଦୁବାଇରେ ଗିରଫ କରାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଡି ଆବେଦନ ପରେ ଇଣ୍ଟରପୋଲ ଜାରି କରିଥିବା ରେଡ୍ କର୍ଣ୍ଣର ନୋଟିସ ଆଧାରରେ ଦୁବାଇ ପୋଲିସ ଗତ ସପ୍ତାହରେ ଉପଲକୁ ଗିରଫ କରିଥିଲା । ତାକୁ ଭାରତ ଆଣିବା ପାଇଁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଉପଲ ବିରୋଧରେ ଭାରତରେ ଛତିଶଗଡ଼ ଓ ମୁମ୍ବାଇ ପୋଲିସ ତଦନ୍ତ କରୁଛି। ସେପଟେ ମହାଦେବ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ଜାରି ରଖିଛି ଇଡି। ରବି ହେଉଛି ମହାଦେବ ଅପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କ ସହଯୋଗୀ ।

ମହାଦେବ ବୁକ୍ ଆପ୍ ଏକ ଅନଲାଇନ୍ ଜୁଆଖେଳ ପ୍ଲାଟଫର୍ମ । ଭାରତରେ ଏହାକୁ ନିଷେଧ କରାଯାଇଛି। କିନ୍ତୁ ଏହା ଅନ୍ୟ ଦେଶ ଗୁଡ଼ିକରେ ଚାଲିଛି | ଛତିଶଗଡ଼ର ବାସିନ୍ଦା ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଉପଲ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଉଭୟଙ୍କ ବିରୋଧରେ ଲୁକ୍ଉଆଟ୍ ସର୍କୁଲାର୍ ଜାରି କରାଯାଇଥିଲା |

ସୌରଭ ଏବଂ ରବି ଏହି ଅନଲାଇନ୍ ବେଟିଂ ପ୍ଲାଟଫର୍ମରୁ ପ୍ରାୟ ୬୦୦୦ କୋଟିରୁ ଅଧିକ ଟଙ୍କା ବେଆଇନ ଭାବେ ଆୟ କରିଥିବା ସନ୍ଦେହ କରାଯାଉଛି। ଉଭୟଙ୍କ ନିକଟକୁ ହାୱାଲା ମାଧ୍ୟମରେ ବିପୁଳ ପରିମାଣର ନଗଦ ପଠାଯାଇଛି। ଦୁବାଇରୁ ମହାଦେବ ବୁକ୍ ଆପ୍ ଚଳାଇବାରେ ସୌରଭ ଏବଂ ରବିକୁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ସାହାଯ୍ୟ କରୁଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି । ଛତିଶଗଡ଼ ବିଧାନସଭା ନିର୍ବାଚନର ମହାଦେବ ବେଟିଂ ଆପ୍ ମାମଲା ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା । ଏହି ବେଟିଂ ଆପ୍ ମାଲିକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଖର୍ଚ୍ଚ ପାଇଁ ମହାଦେବ ବୁକ୍ ପ୍ରମୋଟରମାନେ ବାଘେଲଙ୍କୁ ଟଙ୍କା ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ବାଘେଲ ଏହି ଆରୋପକୁ ଖଣ୍ଡନ କରିଥିଲେ ।

Exit mobile version