Site icon ଆଜିକାଲି

ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ, ୨୧ ଆତଙ୍କବାଦୀଙ୍କ ନାମ ମୋଷ୍ଟ ୱାଣ୍ଟେଡ ସୂଚୀରେ ସ୍ଥାନିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏନଆଇଏ ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି। ଏଥିରେ ଆଉ ୨୧ ଆତଙ୍କବାଦୀଙ୍କ ନାମ ମୋଷ୍ଟ ୱାଣ୍ଟେଡ ସୂଚୀରେ ସ୍ଥାନିତ କରିଛନ୍ତି। ଏନଆଇଏ ୱେବ୍ ସାଇଟ୍‌ରେ ଏହି ଆତଙ୍କବାଦୀମାନଙ୍କ ଫଟୋ ନାମ ସହିତ ପକା ଯାଇଛି। ସୂଚୀରେ ଲକ୍ଷବୀର ସିଂହ ଲଣ୍ଡା, ମନଦୀପ ସିଂହ, ସତନାମ ସିଂହ ଓ ଅମରିକ ସିଂହ ସମେତ କାନାଡା, ଆମେରିକା ଓ ପାକିସ୍ତାନରେ ରହୁଥିବା ଆତଙ୍କବାଦୀମାନଙ୍କ ନାମ ଓ ଫଟୋ ରହିଛି।

ଏନଆଇଏ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଯାଞ୍ଚ ଏଜେନ୍ସୀର ୫ ସଦସୀୟ ଟିମ୍‌ ଖୁବ୍ ଶୀଘ୍ର ଆମେରିକାର ସାନଫ୍ରାନସିସ୍କୋ ଯିବ ଓ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରିବ। କୁହାଯାଉଛି ଏହି ଟିମ୍‌ ଜୁଲାଇ ୧୭ ତାରିଖ ପରେ ଆମେରିକା ଗସ୍ତରେ ବାହାରିବ। ଖାଲିସ୍ତାନୀ ସମର୍ଥକମାନେ ଗତ ମାର୍ଚ୍ଚମାସରେ ସାନଫ୍ରାନସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଗୁଇନ୍ଦା ସୁତ୍ର ଅନୁସାରେ ଏନଆଇଏ, ଆଇବି ଓ ରାଜ୍ୟ ପୋଲିସ ମିଳିତ ଏକ ଡୋଜିୟର ପ୍ରସ୍ତୁତ କରିଛନ୍ତି। ନିକଟରେ ହୋଇଥିବା ବ୍ରିଟେନ, ଆମେରିକା ଓ କାନାଡା ଦୂତାବାସ ଆକ୍ରମଣ ମାମଲାରେ ଏନଆଇଏ ଏକ ପ୍ରୋ ଖାଲିସ୍ତାନୀ ଓ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏକ ପୁରା ସୂଚୀ ତିଆରିଛନ୍ତି।

କୁହାଯାଉଛି ଯାଞ୍ଚ ଏଜେନ୍ସୀ ଦ୍ୱାରା ପ୍ରସ୍ତୁତ ସୂଚୀର ସର୍ବାଗ୍ରେ ଶିଖ ଫର ଜଷ୍ଟିସ୍ ନେତା ଗୁରୁପତୱନ୍ତ ସିଂହ ପନ୍ନୁର ନାମ ରହିଛି। ସୂଚନା ମୁତାବକ ଏନଆଇଏ ବିଦେଶରେ ଥିବା ଶିଖ୍ ଫର ଜଷ୍ଟିସ୍, ବବ୍ବର ଖାଲସା ଇଣ୍ଟରନ୍ୟାସନାଲ, ଖାଲିସ୍ତାନୀ ଲିବରସେନ ଫୋର୍ସ, ଖାଲିସ୍ତାନ ଟାଇଗର ଫୋର୍ସ, ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ, ଖାଲିସ୍ତାନ କମାଣ୍ଡୋ ଫୋର୍ସ, ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ ଫେଡେରେସନ ଓ ଦଲ ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟଙ୍କ ସୂଚୀ ପ୍ରସ୍ତୁତ କରିଛି। ଏହା ଛଡା ୨୦ରୁ ୨୫ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି ହୋଇଛି।

ଅପରପକ୍ଷେ ଖାଲିସ୍ତାନୀ ସମର୍ଥକମାନେ ‘କିଲ ଇଣ୍ଡିଆ’ ନାମକ ଏକ ରାଲି ମାଧ୍ୟମରେ ଭାରତ ଓ ଭାରତୀୟ କୁଟନୀତିଜ୍ଞଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନର ଯୋଜନା କରିଛନ୍ତି। ସୂଚନା ମୁତାବକ ଆମେରିକାରୁ ଆରମ୍ଭ କରି କାନାଡା ପର୍ଯ୍ୟନ୍ତ ଏହି ରାଲିର ଆୟୋଜନ ହେଉଛି। ଏହି ରାଲିକାଳରେ ଗୁଇନ୍ଦା ଏଜେନ୍ସୀମାନେ ହିଂସାର ଆଶଙ୍କା ମଧ୍ୟ କରିଛନ୍ତି।

Exit mobile version