Site icon ଆଜିକାଲି

ଅଧୀର ଚୌଧୁରୀଙ୍କ ଅଭିଯୋଗ: ସମ୍ବିଧାନର ନୂଆ କପିରେ ନାହିଁ ‘ସୋସିଆଲିଷ୍ଟ ସେକ୍ୟୁଲାର’ ଶବ୍ଦ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଜି ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଆଲୋଚନା ହେବ। ତେବେ ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ନୂଆ ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କୁ ଦିଆଯାଇଥିବା ସମ୍ବିଧାନର କପି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ସମ୍ବିଧାନ କପିରେ ‘ସୋସିଆଲିଷ୍ଟ ସେକ୍ୟୁଲାର’ ଶବ୍ଦ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଚୌଧୁରୀ କହିଛନ୍ତି, ନୂଆ ସଂସଦ ଭବନରେ ପ୍ରବେଶ ବେଳେ ଆମକୁ ଯେଉଁ ସମ୍ବିଧାନର କପି ଦିଆଯାଇଥିଲା ସେଥିରେ ସମ୍ବିଧାନ ପ୍ରସ୍ତାବନାରୁ ”ସୋସିଆଲିଷ୍ଟ ସେକ୍ୟୁଲାର” ଶବ୍ଦ ନାହିଁ | ଆମେ ଜାଣୁ ଯେ ୧୯୭୬ରେ ସଂଶୋଧନ ପରେ ଏହି ଶବ୍ଦଗୁଡ଼ିକ ଯୋଡ଼ା ଯାଇଥିଲା । କିନ୍ତୁ ଏହି ଶବ୍ଦଗୁଡ଼ିକ ସମ୍ବିଧାନରୁ ହଟାଯିବା ଚିନ୍ତାର ବିଷୟ | ”

ଏହି କଂଗ୍ରେସ ନେତା ଆହୁରି କହିଛନ୍ତି, “ବିଜେପିର ଉଦ୍ଦେଶ୍ୟ ସନ୍ଦେହଜନକ। ସେମାନେ ବହୁତ ଚତୁରତାର ସହିତ ଏପରି କରିଛନ୍ତି | ଏହା ଚିନ୍ତାର ବିଷୟ | ମୁଁ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲି କିନ୍ତୁ ମୋତେ ସୁଯୋଗ ଦିଆଗଲାନି । ”

ନୂଆ ସଂସଦ ଗୃହରେ ପ୍ରଥମ ଦିନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି ବିଲ୍ ବର୍ତ୍ତମାନ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ନାମରେ ପରିଚିତ ହେବ। ଏତିକିବେଳେ ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଭାଷଣ ଆସନରୁ ଉଠି କହିଥିଲେ ଯେ କଂଗ୍ରେସ ସରକାର ସମୟରେ ଏହି ବିଲ୍ ଆଗତ କରାଯାଇଥିଲା । ଏହା ଲୋକସଭାରେ ପାରିତ ହୋଇଥିବାବେଳେ ରାଜ୍ୟସଭାରେ ଅଟକି ରହିଥିଲା।

ଚୌଧୁରୀଙ୍କ ଏପରି ଦାବି ନେଇ ଶାସକ ଦଳର ସାଂସଦମାନେ ଆପତ୍ତି ଉଠାଇଥିଲେ। ଏହାପରେ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଗୃହରେ ପ୍ରତ୍ୟେକ ସଦସ୍ୟଙ୍କ ଚିନ୍ତାଧାରା କ’ଣ ତାହା ସେମାନଙ୍କ ଆଚରଣରୁ ଜଣାପଡ଼ିଯିବ। ଦେଖନ୍ତୁ ଏହି ଲୋକମାନଙ୍କୁ । ସେମାନେ ଆପଣଙ୍କ କଥାକୁ ମଧ୍ୟ ସମ୍ମାନ କରୁ ନାହାଁନ୍ତି । ଏହି ପ୍ରକାର ଆଚରଣ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସିଧାସଳଖ ଅପମାନ।

Exit mobile version