Site icon ଆଜିକାଲି

ଦୁଇଥର ଟିକେଟ୍ ମୂଲ୍ୟ ହ୍ରାସ ସତ୍ତ୍ୱେ ବଢ଼ୁନି ‘ଆଦିପୁରୁଷ’ର ବକ୍ସ ଅଫିସ୍ କଲେକ୍ସନ

ନୂଆଦିଲ୍ଲୀ: ଲଗାତାର ଦୁଇଥର ଟିକେଟ୍ ମୂଲ୍ୟ ହ୍ରାସ କରାଯିବା ସତ୍ତ୍ୱେ ଫିଲ୍ମ ‘ଆଦିପୁରୁଷ’ ଦର୍ଶକଙ୍କୁ ହଲକୁ ଟାଣିବାରେ ବିଫଳ ହୋଇଛି । ନିର୍ମାତା ଟିକେଟ୍ ମୂଲ୍ୟ କମାଇଥିଲେ ମଧ୍ୟ ଏହି ଫିଲ୍ମର ବକ୍ସ ଅଫିସ୍ ଆୟରେ ସେଭଳି ବୃଦ୍ଧି ଘଟୁନାହିଁ । ରିଲିଜର ଦ୍ୱିତୀୟ ସପ୍ତାହରେ ଏହି ଫିଲ୍ମ ମାତ୍ର ୧୪ କୋଟି ଟଙ୍କା ବ୍ୟବସାୟ କରିବାରେ ସକ୍ଷମ ହୋଇଛି। ବକ୍ସ ଅଫିସ୍ କାରବାର ଉପରେ ନଜର ରଖୁଥିବା ୱେବସାଇଟ୍ ସାକନିଲ୍କ ଅନୁଯାୟୀ, ଦ୍ୱିତୀୟ ରବିବାରରେ ଆଦିପୁରୁଷ ମାତ୍ର ୬ କୋଟି ଟଙ୍କା ଆୟ କରିଛି ।

ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ ହିନ୍ଦୀ ସିନେମାର ସବୁଠାରୁ ବଡ଼ ଓପନିଂ ରେକର୍ଡ ସୃଷ୍ଟି କରିଥିଲା। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହି ଚଳଚ୍ଚିତ୍ରଟି ବଡ଼ ସଫଳତା ପୂର୍ବକ କେବଳ ହିନ୍ଦୀ ଭାଷାରେ ୧୧୩ କୋଟି ଟଙ୍କା ଆୟ କରିଥିଲା। ତେବେ ଜବରଦସ୍ତ ଆରମ୍ଭ ପରେ ‘ଆଦିପୁରୁଷ’ର କଲେକ୍ସନ ଲଗାତାର ହ୍ରାସ ପାଉଛି। ବିବାଦୀୟ ସଂଳାପ ଯୋଗୁଁ ଏହି ଫିଲ୍ମ ସମାଲୋଚକ ଓ ଦର୍ଶକଙ୍କ ଟାର୍ଗେଟରେ ଅଛି | ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ଏହାର ସଂଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିବାଦ ପରେ ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମର ନିର୍ମାତ କିଛି ସଂଳାପରେ ପରିବର୍ତ୍ତନ କରିଥିଲେ ମଧ୍ୟ ଦର୍ଶକମାନଙ୍କୁ ଏହା ଆକୃଷ୍ଟ କରିପାରି ନାହିଁ । ଚଳଚ୍ଚିତ୍ରର ସଂଳାପ ଲେଖକ ହେଉଛନ୍ତି ମନୋଜ ମୁନ୍ତାଶିର।

Exit mobile version