Site icon ଆଜିକାଲି

ଭାରତକୁ ୨୭୩ ରନର‌ ଟାର୍ଗେଟ୍ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପରେ ବୁଧବାର ଫିରୋଜ ଶାହ କୋଟଲାରେ ଭାରତ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୨ ରନ୍ କରିଛି । ଫଳରେ ଭାରତ ଆଗରେ ୨୭୩ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଆଫଗାନିସ୍ତାନ ତରଫରୁ ଅଧିନାୟକ ହାଶମତୁଲ୍ଲା ଶାହିଦି ସର୍ବାଧିକ ୮୦ ରନ୍ କରିଥିବା ବେଳେ ଆଜମତୁଲ୍ଲା ଓମାରଜାଇ ୬୨ ରନର ଇନିଂସ୍ ଖେଳିଥିଲେ।

ଭାରତ ପକ୍ଷରୁ ଜସପ୍ରୀତ ବୁମରା ସଫଳ ବୋଲର ଭାବେ ୩୯ ରନ୍ ବିନିମୟରେ ୪ଟି ୱିକେଟ୍ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ କୁଲଦୀପ ଯାଦବ ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି | ଶାହିଦି ଓ ଓମାରଜାଇଙ୍କ ବ୍ୟତୀତ ଆଫଗାନିସ୍ତାନର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୫ ରନ୍ ଟପିନଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୬୩ ରନରେ ୩ ୱିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ହାଶମତୁଲ୍ଲା ଶାହିଦି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମାରଜାଇ ଆଫଗାନିସ୍ତାନର ପାଳି ସମ୍ଭାଳିଥିଲେ । ଉଭୟ ସମୟ ନେଇଥିଲେ ଓ ଏକ ଗୁରୁତ୍ୱପୂର୍ଣ୍ଣ ଶତକୀୟ ଭାଗିଦାରୀ କରିଥିଲେ। ଦୁହେଁ ୧୨୮ ବଲରେ ୧୨୧ ରନ୍ ଯୋଡିଥିଲେ |

Exit mobile version