Site icon ଆଜିକାଲି

ହାରିଲା ଆଫଗାନିସ୍ତାନ, ଫାଇନାଲ୍‌ରୁ ବାଦ ପଡ଼ିଲା ଭାରତ

ଦୁବାଇ : ଏସିଆ କପ ଫାଇନାଲରୁ ବାଦ ପଡିଲା ଭାରତ। ଏସିଆ କପ୍‌ ସୁପର-୪ର ଚତୁର୍ଥ ମୁକାବିଲାରେ ଆଫଗାନିସ୍ତାନକୁ ପାକିସ୍ତାନ ହରାଇବା ପରେ ଭାରତର ଆଶା ଧୁଳିସାତ୍ ହୋଇଛି । ସୁପର-୪ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ହାରିବା ପରେ ଶ୍ରୀଲଙ୍କାର ଏକ ଅନଭିଜ୍ଞ ତଥା ଯୁବ ଦଳଠାରୁ ମଧ୍ୟ ହାରିଥିଲା ଭାରତ। ଭାରତକୁ ଫାଇନାଲ୍ ଖେଳିବାର ପ୍ରମୁଖ ଦାବିଦାର କୁହାଯାଉଥିଲା ବେଳେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପ୍ରଶଂସକଙ୍କୁ ବ୍ୟଥିତ କରିଛି ।

ଶ୍ରୀଲଙ୍କା ବିପକ୍ଷରେ ଦୀନେଶ କାର୍ତ୍ତିକଙ୍କୁ ନଖେଳାଇବା ଏବଂ ରବି ବିଷ୍ଣୋଇଙ୍କ ସ୍ଥାନରେ ଆର ଅଶ୍ବିନଙ୍କୁ ସ୍ଥାନ ଦେବା ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହେଉଛନ୍ତି । ସେହିଭଳି ଦୀପକ ହୁଡ଼ା ଅଲରାଉଣ୍ଡର୍‌ ଭାବେ ଖେଳୁଥିଲେ ମଧ୍ୟ ତାଙ୍କୁ ଗୋଟିଏ ‌ହେଲେ ବି ଓଭର ବୋଲିଂ କରିବାର ସୁଯୋଗ ନଦେବା ନିଷ୍ପତ୍ତି ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଯାଇଛି । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯେ ପଞ୍ଚମ ବିଶେଷଜ୍ଞ ବୋଲର ଭାବେ ଖେଳାଇବା ବିପଜ୍ଜନକ, ତାହା ଶ୍ରୀଲଙ୍କା ମ୍ୟାଚ୍‌ରୁ ପ୍ରମାଣିତ ହୋଇଛି । କାରଣ ତାଙ୍କ ବୋଲିଂକୁ ସମ୍ମୁଖୀନ ହେବାରେ କୌଣସି ଶ୍ରୀଲଙ୍କା ବ୍ୟାଟର୍‌ ଅଡ଼ୁଆରେ ପଡ଼ି ନଥିଲେ । ଶୀର୍ଷକ୍ରମରେ ରୋହିତ ଭଲ ଖେଳିଥିଲେ । ହେଲେ ବିରାଟ କୋହଲିଙ୍କ ସହ ସଂପୂର୍ଣ୍ଣ ମଧ୍ୟକ୍ରମ ପୂରା ନିରାଶ କରିଥିଲା । ପାକିସ୍ତାନ ସହ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭୁବନେଶ୍ବର କୁମାର ମାତ୍ରାଧିକ ରନ୍ ବ୍ୟୟ କରିବା ଭାରତ ପରାଜୟର ପ୍ରମୁଖ କାରଣ ଥିଲା।

ସୂଚନା ଯେ, ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନର ତିନି ବୋଲର ଫଜଲହକ୍ ଫାରୁକି, ଫରିଦ ଅହମ୍ମଦ ଓ ରସିଦ ଖାନ୍ ପାକିସ୍ତାନର ନିୟମିତ ୱିକେଟ୍ ଝାଡ଼ି ବାରମ୍ବାର ମ୍ୟାଚ୍‌ରେ ରୋମାଞ୍ଚ ଓ ନାଟକୀୟ ମୋଡ଼ ଭରିଥିଲେ। ଏପରିକି ପାକିସ୍ତାନର ଶେଷ ୫ ୱିକେଟ୍‌ର ପତନ ମାତ୍ର ୨୧ ରନ୍‌ରେ ହୋଇଥିଲା। ହେଲେ ଶେଷରେ ଦଶମ ୱିକେଟ୍ ଯୋଡ଼ି ହିଁ ପାକିସ୍ତାନକୁ ସ୍ମରଣୀୟ ବିଜୟ ଉପହାର ଦେବା ସହ ଆଫଗାନିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏହା ପୂର୍ବରୁ ପାକିସ୍ତାନ ଟସ୍‌ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ୩୫ ଏବଂ ହଜରତୁଲ୍ଲା ଜଜାଇଙ୍କ ୨୧ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୧୨୯ ରନ କରିଥିଲା। ଯାହାକୁ ସାରଜା ଭଳି ପଡ଼ିଆରେ ଆଦୌ ବଡ଼ ସ୍କୋର କୁହାଯାଇ ନପାରେ। ହେଲେ ଆଫଗାନିସ୍ତାନ ବୋଲରମାନେ ଅତ୍ୟନ୍ତ ମାପଚୁପ ବୋଲିଂ କରି ପାକିସ୍ତାନକୁ ୧୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ଅତ୍ୟନ୍ତ କଷ୍ଟକର କରିଦେଇଥ‌ିଲେ। ଶେଷ ୩୨ ବଲ୍‌ରେ ୫ ୱିକେଟ୍‌ର ପତନ ସହ ୫ଟି ଛକା ଆଜି ମ୍ୟାଚ୍‌ର ଅନ୍ୟତମ ଆକର୍ଷଣ ଥିଲା।

Exit mobile version