Site icon ଆଜିକାଲି

୩ ବର୍ଷ ପରେ ଆଜି ଦିଲ୍ଲୀ ଆସିବେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା

ନୂଆଦିଲ୍ଲୀ : ଲଦାଖରେ ୩ ମାସ ସମୟ କାଟିବା ପରେ ଏବେ ଦିଲ୍ଲୀ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ୩ ବର୍ଷ ପରେ ଦିଲ୍ଲୀ ଆସୁଛନ୍ତି ଲାମା । ଲଦାଖ ବୁଦ୍ଧିଷ୍ଟ ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦଲାଇଲାମା ଶୁକ୍ରବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ଏହି ଗସ୍ତ ଅବଧି ମଧ୍ୟରେ ତାଙ୍କର କାର୍ଯ୍ୟସୂଚୀ କିମ୍ବା କାହା ସହ ସାକ୍ଷାତକାର ନେଇ ସୂଚନା ସ୍ପଷ୍ଟ ହୋଇନାହିଁ ।

ବୁଦ୍ଧିଷ୍ଟ ସଙ୍ଘ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ଶୁକ୍ରବାର ଠାରୁ ଲାମା ଦିଲ୍ଲୀ ଅଭିମୁଖେ ବିମାନରେ ଯାତ୍ରା କରିବେ । ଲେହର କେବିଆର ବିମାନ ବନ୍ଦରରୁ ସେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବେ । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଚଳିତବର୍ଷ ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବା ନିଜେ ଟ୍ବିଟରେ ସୂଚନା ଦେଇଥିଲେ ।

Exit mobile version