Site icon ଆଜିକାଲି

ଆଇଟି ରେଡର ୯ ଦିନ ପରେ ମୁହଁ ଖୋଲିଲେ ଧୀରଜ ସାହୁ, ଜବତ ସବୁଟଙ୍କା ଆମ ପରିବାରର

ନୂଆଦିଲ୍ଲୀ : ଆଇଟି ରେଡର ୯ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ତଥା ମଦ ମଦ ବ୍ୟବସାୟୀ ଧୀରଜ ସାହୁ। ୩୫୩ କୋଟି ଜବତ ଘଟଣାରେ କହିଛନ୍ତି ‘ଏହା କଳା ଟଙ୍କା ନୁହେଁ, ଏହା ପରିବାରର ବ୍ୟବସାୟ ଅର୍ଥ । ସମସ୍ତ ଟଙ୍କା ମଦ ବ୍ୟବସାୟରୁ ଆୟ ହୋଇଛି । କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର ଏ ଟଙ୍କା ସହ ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି। ମଦ କାରବାର ନଗଦ ଟଙ୍କାରେ ହୁଏ । କମ୍ପାନୀର ସେଲ କଲେକ୍ସରୁ ମିଳିଥିବା ଅର୍ଥ ଜବତ ହୋଇଛି ବୋଲି ଧୀରଜ କହିଛନ୍ତି ।

ଏହା ମଧ୍ୟ କହିଛନ୍ତି, ଏହି ଟଙ୍କା ସହ ମୋର କୌଣସି ସମ୍ପର୍କ ନାହିଁ। ଏହା ମୋ ପରିବାରର ଟଙ୍କା। ଆମ ପରିବାର ବହୁତ ବଡ, ତେଣୁ ଏହି ଟଙ୍କା ସେମାନଙ୍କର ଅଟେ । ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଏହି ଟଙ୍କା ବେଆଇନ ବୋଲି କୁହାଯାଇନାହିଁ । ଏଭଳି ସ୍ଥିତିରେ ଏହି ଟଙ୍କା ବିଷୟରେ କିଛି କହିବା ଶୀଘ୍ର ହେବ। ଆୟକର ବିଭାଗ ରେଡ କରୁଛି । ଆମକୁ ଯାହା ତଥ୍ୟ ପ୍ରମାଣ ମାଗିବେ ଆମେ ଯୋଗାଇ ଦେବୁ । ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଆମେ ଝାଡଖଣ୍ଡ ଓ ଓଡିଶାରେ ବହୁତ ବିକାଶ କାମ କରିଛୁ । ଆୟକର ବିଭାଗ କହିବ ଏହା କଳା ଟଙ୍କା ନା ଧଳା ଟଙ୍କା ବୋଲି ଧୀରଜ କହିଛନ୍ତି ।

ଆୟକର ବିଭାଗ ଚଢାଉରେ ଧୀରଜ ସାହୁଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ୩୫୩ କୋଟି ଟଙ୍କା ଜବତ ହେବା ପରେ ସାରା ଦେଶ ଚକିତ ହୋଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ କରି କଳାଧନ କଡାଗଣ୍ଡା କରି ଆଦାୟ କରାଯିବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଥିଲା ରାଜନୈତିକ ଆରୋପ ପ୍ରତ୍ୟାରୋପ। କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଧୀରଜଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଥିଲା। ଶେଷରେ ଚଢାଉ ପରେ ମୁହଁ ଖୋଲିଛନ୍ତି ଧୀରଜ।

Exit mobile version