Site icon ଆଜିକାଲି

ଆକାଶଦୀପଙ୍କ ଚମତ୍କାର ପଦାର୍ପଣ ପରେ ଇଂଲଣ୍ଡର ପାଳି ସମ୍ଭାଳିଲେ ରୁଟ୍

ରାଞ୍ଚି: ଆକାଶଦୀପଙ୍କ ରୂପରେ ଭାରତ ଜଣେ ସମ୍ଭାବନାପୂର୍ଣ୍ଣ ଦ୍ରୁତ ବୋଲର ପାଇଥିଲେ ମଧ୍ୟ ଜୋ ରୁଟ୍ ଫର୍ମକୁ ଫେରି ଧୈର୍ଯ୍ୟପୂର୍ଣ୍ଣ ଶତକ ସହ ଇଂଲଣ୍ଡକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ରୁଟଙ୍କ ୩୧ତମ ଶତକ ବଳରେ ଇଂଲଣ୍ଡ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ବିପର୍ଯ୍ୟୟରୁ ମୁକୁଳିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟରେ ୩୦୨ ରନ୍ କରିନେଇଛି।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍ ୨୨୬ ବଲରେ ୧୦୬ ରନ୍ କରି ଅପରାଜିତ ରହିଛନ୍ତି | ତାଙ୍କ ସହ ଓଲି ରବିନସନ୍ ୩୧ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ବିପକ୍ଷରେ ରୁଟଙ୍କ ଏହା ୧୦ମ ଟେଷ୍ଟ ଶତକ । ଭାରତ ବିପକ୍ଷରେ ୧୦ଟି ଶତକ ମାରିବାରେ ରୁଟ୍ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିହାରର ୨୭ ବର୍ଷୀୟ ଆକାଶଦୀପ ଆଜି ନିଜ ଡେବ୍ୟୁରେ ଚମକିଥିଲେ। ପଶ୍ଚିମବଙ୍ଗ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଆକାଶଦୀପ ପ୍ରଥମ ଏକ ଘଣ୍ଟାର ଖେଳରେ ନିଜ ସୁଇଙ୍ଗ୍ ଦ୍ବାରା ଇଂଲଣ୍ଡର ଟପ୍ ଅର୍ଡରକୁ ଘାଇଲା କରିଥିଲେ । ସେ ଶୀଘ୍ର ୩ଟି ୱିକେଟ୍ ଖସାଇଥିବା ବେଳେ ଇଂଲଣ୍ଡ ପ୍ରଥମ ସେସନରେ ୧୧୨ ରନରେ ୫ ୱିକେଟ୍ ହରାଇ ବ୍ଯାକଫୁଟକୁ ଠେଲି ହୋଇଯାଇଥିଲା । ତେବେ ରୁଟ୍ ଓ ବେନ୍ ଫୋକ୍ସ (୪୭) ଷଷ୍ଠ ଓ୍ବିକେଟ୍ ପାଇଁ ୧୧୩ ରନ୍ ଭାଗିଦାରୀ ସହ ଇଂଲଣ୍ଡକୁ ସଙ୍କଟରୁ ଉଦ୍ଧାର କରିଥିଲେ ।

ଗତ ତିନିଟି ଟେଷ୍ଟରେ ୨୯, ୨, ୫, ୧୬, ୧୮, ୭ କରିଥିବା ରୁଟ୍ ଶେଷରେ ନିଜ ଚିରାଚରିତ ଫର୍ମକୁ ଫେରି ଧୈର୍ଯ୍ୟର ସହ ସହ ଖେଳି ଇନିଂସ ସମ୍ଭାଳିଥିଲେ | ରୁଟ୍ ୧୫ଟି ଇନିଂସ ପରେ ଶତକ ହାସଲ କରିଛନ୍ତିି । ତାଙ୍କର ଏହି ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳିରେ ରୁଟ୍ ୯ଟି ଚୌକା ମାରିଥିଲେ। ଭାରତ ପକ୍ଷରୁ ଡେବୁଟାଣ୍ଟ ଆକାଶଦୀପ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ଓ୍ବିକେଟ୍ ହାସଲ କରିଥିଲେ । ଅଶ୍ବିନ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଷ୍ଟାର ପେସର୍ ଯସପ୍ରୀତ ବୁମରାଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଆକାଶଦୀପ ଟେଷ୍ଟ ପଦାର୍ପଣ ସୁଯୋଗ ପାଇଛନ୍ତି ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ହାଇଦ୍ରାବାଦରେ ପରାଜୟ ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ବିଶାଖାପଟନମ୍ ଓ ରାଜକୋଟରେ ଖେଳାଯାଇଥିବା ପରବର୍ତ୍ତୀ ଦୁଇଟି ଟେଷ୍ଟକୁ ଜିତିଥିଲା ।

Exit mobile version