Site icon ଆଜିକାଲି

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା, ଭାରତ ବିରୋଧୀ ପୋଷ୍ଟର ଓ ବ୍ୟାନର ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ସମ୍ପର୍କରେ ସମ୍ପ୍ରତି ତିକ୍ତତା ଦେଖାଦେଇଛି । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଦାୟୀ କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡାକୁ ଦୃଢ଼ ଜବାବ ଦେଇଥିଲା।

ଭାରତ ତରଫରୁ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ପରେ କାନାଡ଼ାର ସ୍ୱର ନରମ ପଡିବାରେ ଲାଗିଛି । କାନାଡ଼ା ପ୍ରଶାସନ ଏବେ ନିଜ ଦେଶରେ ଭାରତ ବିରୋଧୀ ହୋର୍ଡିଂ ଏବଂ ବ୍ୟାନର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା ପାଇଁ ଆହ୍ବାନ କରି ସରେ ସହରର ଏକ ଗୁରୁଦ୍ୱାରରେ ଲାଗିଥିବା ପୋଷ୍ଟର ଗୁଡ଼ିକୁ ସ୍ଥାନୀୟ ପ୍ରଶାସନ ହଟାଇଥିବା ଜଣାପଡ଼ିଛି । ଏଥି ସହିତ ଗୁରୁଦ୍ୱାର କମିଟିକୁ ମଧ୍ୟ କୌଣସି ଉତ୍ତେଜନାପୂର୍ଣ୍ଣ ଘୋଷଣା ପାଇଁ ଲାଉଡ ସ୍ପିକର ବ୍ୟବହାର ନ କରିବାକୁ ଚେତାବନୀ ଦିଆଯାଇଛି ।

ସେପ୍ଟେମ୍ବର ୧୮ରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାରେ ଭାରତର ହାତ ଥାଇପାରେ। ସେ କହିଥିଲେ ଏହା ପଛରେ ଭାରତୀୟ ଏଜେନ୍ସିଙ୍କ ସମ୍ପୃକ୍ତି ନେଇ କାନାଡିୟ ପୋଲିସକୁ ସୁରାକ୍ ମିଳିଛି। ଭାରତ କାନାଡାର ସାର୍ବଭୌମତ୍ୱ ଉଲ୍ଲଂଘନ କରିଥିବା ମଧ୍ୟ ଅଭିଯୋଗ କରିଥିଲେ ଟ୍ରୁଡୋ ।

ସଂସଦରେ ଟ୍ରୁଡୋଙ୍କ ଏପରି ବୟାନ ପରେ କାନାଡା ଭାରତୀୟ କୂଟନୀତିଜ୍ଞ ପୱନ କୁମାର ରାୟଙ୍କୁ ବହିଷ୍କାର କରିଥିଲା । କିନ୍ତୁ ପରଦିନ ଭାରତ ମଧ୍ୟ ଯେସାକୁ ତେସା ନୀତିରେ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏହାଛଡ଼ା କାନାଡ଼ାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଆଲର୍ଟ ଜାରି କରିଥିଲା ଭାରତ । କାନାଡ଼ାର ନାଗରିକଙ୍କୁ ଭିସା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର ।

Exit mobile version