Site icon ଆଜିକାଲି

କିଶନଙ୍କ ଡବଲ ସେଞ୍ଚୁରି ପରେ ଧାୱନଙ୍କ ହେବ ଛୁଟି !

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଯୁବ ବ୍ୟାଟର ଇଶାନ କିଶନଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ଦଳରେ ଭେଟେରାନ ଓପନର ଶିଖର ଧାୱନଙ୍କ ସ୍ଥାନ ଏବେ ଅନିଶ୍ଚିତ ହୋଇପଡିଛି । ନୂଆ ଚୟନ କମିଟି ଗଠନ ପରେ ଧାୱନଙ୍କ ଦିନିକିଆ ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

କେବଳ ଦିନିକିଆ ଫର୍ମାଟରେ ଖେଳୁଥିବା ଧାୱନ ଗତ ୮ଟି ମ୍ୟାଚରେ ସଂଘର୍ଷ କରିଛନ୍ତି । ପାୱାରପ୍ଲେ’ ଓଭରରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପୁରୁଣାକାଳିଆ ବ୍ୟାଟିଂ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଏପରିକି ସେ ରନ୍ ଗତି ବଢାଇବାରେ ମଧ୍ୟ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଶୁଭମାନ ଗିଲ୍ ଓ ଇଶାନ କିଶନ ନିର୍ଭୀକ ପ୍ରଦର୍ଶନ କରିଛନ୍ତି ।

ଧଳାବଲ କ୍ରିକେଟରେ ଭାରତ ସମ୍ପ୍ରତି ସଂଘର୍ଷ କରୁଛି । ଦିନିକିଆ ଓ ଟି୨୦ରେ ଦଳ ଆଶାନୁରୂପ ଫଳ ପାଇନାହିଁ । ବିସିସିଆଇ ଭାରତୀୟ ଦଳର ଏଭଳି ପ୍ରଦର୍ଶନର ସମୀକ୍ଷା କରିବ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ଓ ଏନସିଏ କୋଚ୍ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଭାରତୀୟ ବୋର୍ଡ ଆଲୋଚନା କରିପାରେ । କିଛି ସିନିୟର ଖେଳାଳିଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ବାଦ୍ ଦିଆଯିବ ।

ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ନୂଆ ଚୟନ କମିଟି ନିଯୁକ୍ତି ପରେ ଶିଖର ଧାୱନଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ । ହେଲେ ଏହି ପ୍ରସଙ୍ଗରେ ମୁଖ୍ୟ କୋଚ୍ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମାଙ୍କ ମତାମତ ନିଆଯିବ ।

ଧାୱନଙ୍କ ମୁଖ୍ୟ ସମସ୍ୟା ହେଉଛି ତାଙ୍କ ଷ୍ଟ୍ରାଇକ ରେଟରେ ଦ୍ରୁତ ହ୍ରାସ ଘଟିବା । ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଦିନିକିଆରେ ଧାୱନଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଊର୍ଦ୍ଧ୍ୱ ଥିଲା । ହେଲେ ୨୦୨୨ରେ ଏହା ୭୫କୁ ଖସି ଆସିଛି ।

ଇଶାନ କିଶନଙ୍କ ଦ୍ୱିଶତକ ଓ ତାଙ୍କ ନିର୍ଭୀକ ପ୍ରଦର୍ଶନ ଚୟନ ମାମଲାରେ କିଛି ବଡ଼ ନିଷ୍ପତ୍ତି ନେବାକୁ ଟିମ୍ ମ୍ୟାନେଜମେଣ୍ଟକୁ ବାଧ୍ୟ କରିଛି । ତଥାପି ୧୬୭ ଦିନିକିଆ ଖେଳିଥିବା ଧାୱନଙ୍କ ପରି ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ଅଣଦେଖା କରିବା ସହଜ ନୁହେଁ । ରୋହିତ (୯୪୫୪) ଓ ବିରାଟ କୋହଲି (୧୨,୪୭୧)ଙ୍କ ପରେ ସର୍ବାଧିକ ରନ୍ ହାସଲକାରୀ ସକ୍ରିୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଧାୱନ (୬୭୯୩) ତୃତୀୟ ସ୍ଥାନରେ ଅଛନ୍ତି । ଆଉ କିଛି ବିଶେଷଜ୍ଞଙ୍କ ମତ ହେଉଛି ଧାୱନଙ୍କୁ ଆଗାମୀ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ୬ଟି ଦିନିକିଆରେ ସୁଯୋଗ ଦେବା ଉଚିତ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ତାଙ୍କ ଉପରେ ନିଷ୍ପତ୍ତି ନିଆଯାଇପାରେ । ହେଲେ ଗିଲ୍ ଓ କିଶନଙ୍କ ଭଳି ଯୁବ ପ୍ରତିଭା କ୍ରମାଗତ ଭଲ ପ୍ରଦର୍ଶନ କରୁଥିବା ବେଳେ ଧାୱନଙ୍କୁ ଅଧିକ ସୁଯୋଗ ମିଳିବା କଷ୍ଟକର ହେବ ।

Exit mobile version