Site icon ଆଜିକାଲି

ପଓ୍ବନ ସିଂହଙ୍କ ପରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତ ଓହରିଲେ, ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଲୋକସଭା ନିର୍ବାଚନ ଲଢ଼ିବାକୁ ମନାକଲେ

ଲକ୍ଷ୍ନୌ: ପଓ୍ବନ ସିଂହଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।ଉତ୍ତର ପ୍ରଦେଶର ବାରାବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବାରବାଙ୍କିରୁ ସମ୍ପ୍ରତି ସାଂସଦ ଅଛନ୍ତି ଉପେନ୍ଦ୍ର ରାୱତ ।

ବାରବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତଙ୍କ ଏକ ଭିଡ଼ିଓ ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭାଇରାଲ ଭିଡିଓରେ ତାଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛି। ମହିଳା ଜଣକ ବିଦେଶୀ ବୋଲି କୁହାଯାଉଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ବିଜେପି ଓ ଉପେନ୍ଦ୍ର ରାୱତଙ୍କୁ ଘେରିଥିଲେ ବିରୋଧୀ। ତେବେ ଏହା ତାଙ୍କ ଭିଡ଼ିଓ ନାହିଁ । ଭିଡିଓଟି ନକଲି ଏବଂ ଏଡିଟ୍ କରାଯାଇଛି ବୋଲି ରାୱତ ଦାବି କରିଛନ୍ତିି । ତାଙ୍କୁ ବଦନାମ କରିବା ପାଇଁ ଏପରି ଭିଡ଼ିଓ ଭାଇରାଲ୍ କରାଯାଇଛି ବୋଲି କହିଛନ୍ତି ଏହି ବିଜେପି ନେତା । ଏନେଇ ସେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।

ଉପେନ୍ଦ୍ର ସିଂ ରାୱତ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, ଏହାର ତଦନ୍ତ ହେବା ଉଚିତ। ଯେ ପର୍ଯ୍ୟନ୍ତ ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ନହୁଏ, ମୁଁ କୌଣସି ନିର୍ବାଚନ ଲଢ଼ିବି ନାହିଁ। ”

ଗତକାଲି ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଗାୟକ ପୱନ ସିଂହ ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ । ନିଜର ଅନେକ ଭିଡ଼ିଓ ଆଲବମରେ ପୱନ ସିଂହ ବଙ୍ଗାଳୀ ମହିଳାଙ୍କୁ ଅଶ୍ଲୀଳ ଢ଼ଙ୍ଗରେ ଚିତ୍ରଣ କରିଛନ୍ତିି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେ ଆସାନସୋଲ ଆସନରୁ ନିଜ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିଥିଲେ ।

Exit mobile version