Site icon ଆଜିକାଲି

ଘଣ୍ଟାଏ କାଳ ଅଭ୍ୟାସ କଲେ ଗିଲ୍, ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ଆଶା ବଢ଼ିଲା

ଅହମ୍ମଦାବାଦ: ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ଡେଙ୍ଗୁରୁ ସୁସ୍ଥ ହେବା ପରେ ଓପନର୍ ଶୁଭମାନ ଗିଲ୍ ଗୁରୁବାର ପ୍ରାୟ ଘଣ୍ଟାଏ ଧରି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଛନ୍ତି । ଫଳରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ଆଶା ବଢ଼ିଛି ।

ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅସୁସ୍ଥତା କାରଣରୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ଖେଳିପାରିନଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

ଭାରତୀୟ ଦଳ ଅହମ୍ମଦାବାଦରେ ପହଞ୍ଚିବା ପୂର୍ବରୁ ଗିଲଙ୍କ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଏକ ସ୍ୱତନ୍ତ୍ର ଅଭ୍ୟାସ ସେସନ୍ ଆୟୋଜନ କରିଥିଲା। ଏହି କାରଣରୁ ବାମହାତୀ ଥ୍ରୋ-ଡାଉନ୍ ବିଶେଷଜ୍ଞ ନୁୱାନ୍ ସେନେଭିରତ୍ନେଙ୍କୁ ବୁଧବାର ହିଁ ଅହମ୍ମଦାବାଦ ଯିବାକୁ କୁହାଯାଇଥିଲା।

ଗିଲ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ ଏବଂ ଦଳର ଡାକ୍ତର ରିଜୱାନଙ୍କ ତତ୍ତ୍ଵାବଧାନରେ କିଛି ବ୍ୟାୟାମ କରିବା ପରେ ନେଟ୍ସରେ ଅଭ୍ୟାସ କରିଥିଲେ।

ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କ ‘ଇନଡିପର୍’କୁ ଧ୍ୟାନରେ ରଖି ସେ ଶ୍ରୀଲଙ୍କାର ଥ୍ରୋ-ଡାଉନ୍ ବିଶେଷଜ୍ଞ ସେନେଭିରତ୍ନେଙ୍କ ୧୫୦ କିଲୋମିଟର ବେଗ ଥ୍ରୋଡାଉନର ସାମ୍ନା କରିଥିଲେ।

ଏହାଛଡ଼ା ସେ କିଛି ନେଟ୍ ବୋଲରଙ୍କୁ ମଧ୍ୟ ସାମ୍ନା କରିଥିଲେ। ଅଭ୍ୟାସ କଲାବେଳେ ଗିଲ୍ ସ୍ବାଭାବିକ ଦେଖାଯାଉଥିଲେ । ତେବେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ବିସିସିଆଇର ମେଡିକାଲ ଟିମ୍ ଶୁକ୍ରବାର ତାଙ୍କ ଫିଟନେସ୍ ପରଖିବା ପରେ ହିଁ ପାକିସ୍ତାନ ବିପକ୍ଷରେ ଗିଲ୍ ଖେଳିବେ ନା ନାହିଁ ନିଷ୍ପତ୍ତି ନିଆଯିବ ।

Exit mobile version