Site icon ଆଜିକାଲି

ରାହୁଲଙ୍କ ସାଂସଦ ପଦ ଫେରିବା ପରେ କଂଗ୍ରେସ ଦଳରେ ଆନନ୍ଦର ଲହରୀ, ଏମିତି କହିଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସାଂସଦ ପଦ ଫେରିପାଇବା ପରେ କଂଗ୍ରେସ ଦଳରେ ଆନନ୍ଦର ଲହରୀ ଖେଳିଯାଇଛି । ଦଳର‌ ବହୁ ନେତା ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା ସହ ପ୍ରତିକ୍ରିୟା ରଖିଛନ୍ତି । ସାଂସଦ ଶଶି ଥରୁର ଏହାକୁ ନ୍ୟାୟ ଏବଂ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି।

ଶଶି ଥରୁର ଟ୍ୱିଟ୍ କରି କହିଛନ୍ତି, “ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରେ ପୁନଃ ଅବସ୍ଥାପିତ ନେଇ ଆନୁଷ୍ଠାନିକ ଘୋଷଣାକୁ ସ୍ୱାଗତ। ସେ ବର୍ତ୍ତମାନ ଭାରତ ତଥା ତାଙ୍କ ନିର୍ବାଚନମଣ୍ଡଳୀ ୱାୟାନାଡର ଲୋକମାନଙ୍କୁ ସେବା କରିବା ପାଇଁ ଲୋକସଭାରେ ନିଜର ଦାୟିତ୍ୱ ତୁଲାଇ ପାରିବେ। ନ୍ୟାୟ ଏବଂ ଆମର ଗଣତନ୍ତ୍ରର ବିଜୟ।”

ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏବଂ ଅଧୀର ରଞ୍ଜନ ଚୌଧୁରୀ ବିରୋଧୀ ଦଳର ଅନ୍ୟ ନେତା ମିଠା ଖାଇବା ସହ ଖୁଆଉଥିବା ଦେଖିବାକୁ ମିଳୁଛି । ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରେ ପୁନଃ ଅବସ୍ଥାପିତ ନିଷ୍ପତ୍ତିକୁ ମଲ୍ଲିକାର୍ଜୁନ ଖଡ଼ଗେ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତବାସୀଙ୍କୁ, ବିଶେଷ କରି ୱାୟାନାଡର ଲୋକଙ୍କ ପାଇଁ ଆଶ୍ବସ୍ତିକର ବିଷୟ । କଂଗ୍ରେସ ମୁଖ୍ୟାଳୟ, ୧୦ ଜନପଥରେ ଦଳୀୟ କର୍ମୀ ବାଜା‌ ବଜାଇ ଖୁସି ମନାଉଛନ୍ତି ।

ଅନ୍ୟପକ୍ଷରେ ରାହୁଲଙ୍କ ସଦସ୍ୟତା ଫେରାଇବାରେ ବିଳମ୍ବ ନେଇ କଂଗ୍ରେସର ପ୍ରଶ୍ନର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି, “କଂଗ୍ରେସ ଦଳ (ପ୍ରତି ପ୍ରସଙ୍ଗରେ) ଏହାର ମୁର୍ଖାମି ପ୍ରଦର୍ଶନ କରୁଛି । ଶୁକ୍ରବାର ପରେ ଶନିବାର-ରବିବାର ଛୁଟି ଥିଲା । ତେଣୁ ଆଜି ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ଏଥିରେ କ’ଣ କ୍ଷତି ହୋଇଗଲା । ଅନ୍ୟ ସାଂସଦଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୋଇଛି । ବିଳମ୍ବ ନକରି ଆଇନଗତ ପ୍ରକ୍ରିୟା ପାଳନ କରିଛୁ। ଅର୍ଡର କପି ପାଇବା ପରେ ଆମେ ତୁରନ୍ତ ସଦସ୍ୟତା ଫେରାଇଛୁ । “

Exit mobile version