Site icon ଆଜିକାଲି

ଅର୍ଜୁନ ଆଓ୍ଵାର୍ଡ ମିଳିବା ପରେ ମଇଦାନକୁ ଫେରିବାର ଘୋଷଣା କଲେ ଶାମି

ନୂଆଦିଲ୍ଲୀ: ଅର୍ଜୁନ ଆଓ୍ଵାର୍ଡ ମିଳିବା ପରେ ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ବଡ଼ ଘୋଷଣା କରିଛନ୍ତି। ଶାମି କହିଛନ୍ତି ସେ ଇଂଲଣ୍ଡ ବିପକ୍ଷ ଜାନୁଆରୀ ୨୫ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁଦଳରେ ଉପଲବ୍ଧ ରହିବେ। ଶାମି ଗୋଇଠି ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ତାଙ୍କର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବା ନେଇ ପ୍ରଶ୍ନ ଉଠିଥିଲା।

ରିପୋର୍ଟ ଅନୁଯାୟୀ, ମହମ୍ମଦ ଶାମି ଟେଷ୍ଟ ସିରିଜ୍ ଆରମ୍ଭ ହେବାରୁ ଫିଟ୍ ହୋଇଯିବେ। ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିବା ପରେ କହିଛନ୍ତି, ମୋର ଗୋଇଠିରେ ସମସ୍ୟା ଥିଲା, ଯାହା ଏବେ ଠିକ୍ ହୋଇ ଯାଇଛି। ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ମୁଁ ନିଜର ଫିଟନେସ୍ ଉପରେ କାମ କରୁଛି। ଏନସିଏର ଡାକ୍ତରୀ ଦଳ ମୋର ଫିଟନେସ୍ ଉପରେ ଖୁସି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ବିଶ୍ଵକପ୍ ୨୦୨୩ ପରଠୁ ମହମ୍ମଦ ଶାମି ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି। ଶାମିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ସ୍ଥାନ ମିଳିଥିଲା। ମାତ୍ର ଫିଟନେସ୍‌ ଉପରେ ଡାକ୍ତରଙ୍କ ସବୁଜ ସଙ୍କେତ ନ ମିଳିବାରୁ ସେ ସିରିଜ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ଆଉ ଏବେ ତାଙ୍କର ଫିଟନେସ୍ ଉପରେ ସନ୍ତୋଷ ପ୍ରକଟ କରିଛନ୍ତି ଡାକ୍ତରୀ ଦଳ।

ଶାମି କହିଛନ୍ତି, ମୁଁ ଆହତ ଥିବା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ ଖେଳି ପାରିଲିନି। ମାତ୍ର ଏବେ ଶୀଘ୍ର ମଇଦାନକୁ ଫେରିବାକୁ ଚାହୁଁଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବା ଆପଣ ମୋତେ ଦେଖିବାକୁ ପାଇବେ। ଆଜି ଶାମି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଙ୍କ ଦ୍ଵାରା ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଏହି ପୁରସ୍କାର ବିଶ୍ଵକପ୍‌ରେ ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଛି। ଶାମି ଦିନିକିଆ ବିଶ୍ଵକପ୍‌ରେ ୧୦.୭୦ ହାରରେ ୨୪ ଓ୍ଵିକେଟ୍ ଅକ୍ତିକାର କରିବା ସହ ଭାରତକୁ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Exit mobile version