Site icon ଆଜିକାଲି

ଇମରାନ ଖାନଙ୍କ ଗିରଫ ପରେ ସେନା ବିରୋଧରେ ସମର୍ଥକଙ୍କ ବିଦ୍ରୋହ, ସାରା ଦେଶରେ ୧୪୪ ଧାରା

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫ ପରେ ଦେଶରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ପରେ ଦେଶରେ ସମର୍ଥକମାନେ ସେନା ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଇମରାନଙ୍କ ଗିରଫ ବିରୋଧରେ ପ୍ରଦର୍ଶନ କରି ପ୍ରଦର୍ଶନକାରୀ ପାକିସ୍ତାନ ସେନା ମୁଖ୍ୟାଳୟରେ ପଶି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଯାହାକୁ ନେଇ ସମଗ୍ର ଦେଶରେ ୧୪୪ ଧାରା ଲାଗୁ କରାଯାଇଛି। ସୂଚନାଥାଉ, ଗିରଫର ଗୋଟିଏ ଦିନ ପୂର୍ବରୁ ଇମରାନ ଦେଶର ସେନା ଉପରେ ତାଙ୍କର ହତ୍ୟା ଷଡ଼ଯନ୍ତ୍ର ରଚିବା ଅଭିଯୋଗ ଆଣିଥିଲେ।

ସୂଚନା ଯେ, ମଙ୍ଗଳବାର ଇମରାନ ଖାନ୍‌ ଏକ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଇମରାନ ଖାନକୁ ଅର୍ଦ୍ଦସାମରିକ ବଳ ଗିରଫ କରିଥିଲା। ଆଉ ଇମରାନଙ୍କ ଗିରଫକୁ ବିରୋଧ କରିଛନ୍ତି ତାଙ୍କର ସମର୍ଥକ। ଲାହୋର ବ୍ୟତୀତ ଇମରାନଙ୍କ ସମର୍ଥକମାନେ ରାଓ୍ବଲପିଣ୍ଡିରେ ସେନା ମୁଖ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି। ଇମରାନଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ କୁଆଡ଼େ ଯିବେନାହିଁ ବୋଲି କହିଛନ୍ତି।

ସେପଟେ ପାକିସ୍ତାନ ତେହେରିକ୍‌ ଏ ଇନ୍ସାଫ (ପିଟିଆଇ) ନେତା କହିଛନ୍ତି ଲାହୋରରୁ ଇସଲାମାବାଦ ଆସିଥିବା ଇମରାନଙ୍କ ଖାନ୍ ଅଦାଲତରେ ଏକ ପ୍ରକ୍ରିୟାରେ ଯାଉଥିଲେ। ସେହି ସମୟରେ ରେଞ୍ଜର୍ସ କାଚ ଭାଙ୍ଗି ଇମରାନ ଏବଂ ତାଙ୍କ ଓକିଲ ଏବଂ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଥିଲେ ପରେ ଇମରାନଙ୍କୁ ଗିରଫ କରିଥିଲେ।

ଏହାସହ ପିଟିଆଇ ସମର୍ଥକ ମାନଙ୍କୁ ଲାହୋରର ଲିବର୍ଟି ଛକରେ ପହଞ୍ଚିବାକୁ ଅପିଲ୍‌ କରିଛି। ଲାହୋରର ଜମାନ ପାର୍କରେ​‌ ମଧ୍ୟ ବିପୁଳ ମାତ୍ରାରେ ଲୋକେ ଏକାଠି ହୋଇଛନ୍ତି। ଯେଉଁଠାରେ ଇମରାନଙ୍କ ବାସଭବନ ରହିଛି। ଦେଶର ଅନେକ ସ୍ଥାନରେ ଇମରାନଙ୍କ ସମର୍ଥକ ରାସ୍ତା ଜାମ୍‌ କରି ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିଛି ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ ତେବେ ସମସ୍ୟା ହୋଇପାରେ।

Exit mobile version