Site icon ଆଜିକାଲି

ଲୋକସଭା ପରେ ରାଜ୍ୟସଭାରୁ ୩୪ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ୩୪ ବିରୋଧୀ ସାଂସଦଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ଭେନୁଗୋପାଳ, ରାମନାଥ ଠାକୁର, ମନୋଜ ଝା, ରାମଗୋପାଳ ଯାଦବ, ଜାଭେଦ ଅଲି ଖାନ, ମହୁଆ ମାଜି, ଶାନ୍ତନୁ ସେନ ପ୍ରମୁଖ ଅଛନ୍ତି। ସେହିପରି ସମୀରୁଲ ଇସଲାମ, କନିମୋଝି, ଫୟାଜ ଅହମ୍ମଦ, ଅଜିତ କୁମାର, ନାରାୟଣ ଭାଇ ଜେଠୱା, ରଞ୍ଜିତ୍‌ ରଞ୍ଜନ, ରଣଦୀପ ସୁରଜେୱାଲା, ରଜନୀ ପାଟିଲ, ଏମ୍‌. ସଙ୍ଗମ, ଅମି ୟାଗ୍ନିକ୍‌, ଫୁଲୋ ଦେବୀ ନେତାମ୍‌ ଓ ମୌସମ ନୁରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁ ଗୃହ କାର୍ଯ୍ୟ ହୋଇପାରୁ ନାହିଁ। ଏହି କାରଣରୁ ଅନେକ ସାଂସଦଙ୍କୁ ଚଳିତ ଅଧିବେଶନ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି। ଗୃହର ପ୍ରକ୍ରିୟା ସ୍ଥଗିତ ରଖି ସେ କହିଥିଲେ ଯେ ମୋ ମୁଣ୍ଡ ଲଜ୍ଜାରେ ନଇଁଯାଉଛି, ଆମେ ଲୋକଙ୍କ ଭାବନା ଏବଂ ସେମାନଙ୍କ ଆଶାକୁ ସମ୍ମାନ ଦେଉନାହୁଁ।

ସୂଚନାଯୋଗ୍ୟ, ଏହାର କିଛି ସମୟ ପୂର୍ବରୁ ଲୋକସଭାରୁ ମଧ୍ୟ ୩୩ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ଅଧୀର ରଞ୍ଜନଙ୍କ ସହ ଅପୂର୍ବା ପୋଦ୍ଦାର, ପ୍ରସୂନ ବାନାର୍ଜା, ମହମ୍ମଦ ବସିର, କେ. ସୁରେଶ, ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ, ସୌଗତ ରାୟ, ପ୍ରତିମା ମଣ୍ଡଳ, ଡିଏମ୍‌କେର ଏ. ରାଜା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନଙ୍କ ସମେତ ଅନେକ ସଦସ୍ୟ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି।

Exit mobile version