Site icon ଆଜିକାଲି

କ୍ଷମା ମାଗିଲା ଏୟାର ଇଣ୍ଡିଆ, ପ୍ରତ୍ୟେକ ଯାତ୍ରୀଙ୍କୁ ୨୯ ହଜାର ଟଙ୍କାର ଯାତ୍ରା ରସିଦ ଦେଲା

ନୂଆଦିଲ୍ଲୀ: ୩୦ ଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛି ଏୟାର ଇଣ୍ଡିଆ। ଏହି ଘଟଣା ପାଇଁ ଏୟାର ଇଣ୍ଡିଆର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ମୁଖ୍ୟ ପରିଚାଳନା ଅଧିକାରୀ କ୍ଲାଉସ ଗୋଏର୍ସ୍କ ସମସ୍ତ ଯାତ୍ରୀଙ୍କୁ କ୍ଷମା ମାଗିଛନ୍ତି। ଏହା ସହିତ କ୍ଷତିପୂରଣ ବାବଦରେ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ଯାତ୍ରୀଙ୍କୁ ପ୍ରାୟ ୨୯ ହଜାର ଟଙ୍କା(୩୫୦ ଡଲାର)ର ଯାତ୍ରା ରସିଦ ପ୍ରଦାନ କରାଯାଇଛି। ଯାତ୍ରୀ ଚାହିଁଲେ ଏୟାର ଇଣ୍ଡିଆରେ ପରବର୍ତ୍ତୀ ଯାତ୍ରା ପାଇଁ ଟିକେଟ ବୁକିଂ ସମୟରେ ଏହି ଅର୍ଥ ବିନିଯୋଗ କରିପାରିବେ, ନଚେତ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ।

ସୂଚନାଯୋଗ୍ୟ, ଗତ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଏୟାର ଇଣ୍ଡିଆର ଏକ ବିମାନ ନୂଆଦିଲ୍ଲୀର ସାନ୍‌‌ ଫ୍ରାନସିସକୋ ଉଡ଼ାଣ କରିବାର ଥିଲା। ଉଡ଼ାଣର ଠିକ୍‌‌ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରିଦିଆଯାଇଥିଲା। ଯାତ୍ରୀମାନେ ଲାଉଞ୍ଜରେ ତଳେ ବସି ପ୍ରବଳ ଗୁଳୁଗୁଳିରେ ବିଶ୍ରାମ ନେଇଥିଲେ। ସେମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇ ଦିଆଯାଇ ନ ଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଏୟାର ଇଣ୍ଡିଆକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଗତ ଶୁକ୍ରବାର ରାତି ୯ଟା ୫୫ ମିନିଟରେ ବିମାନ ପୁନର୍ବାର ଉଡ଼ାଣ ଆରମ୍ଭ କରି ଶନିବାର ମଧ୍ୟାହ୍ନ ୧୨ଟା ୪୫ରେ ସାନ୍‌‌ ଫ୍ରାନସିସକୋରେ ପହଞ୍ଚିଥିଲା।

Exit mobile version