Site icon ଆଜିକାଲି

ଏୟାର ଇଣ୍ଡିଆ ଏକ୍ସପ୍ରେସ ସଙ୍କଟର ସମାଧାନ, କାର୍ଯ୍ୟରେ ଯୋଗ ଦେବେ କର୍ମଚାରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ସଙ୍କଟର ସମାଧାନ ହୋଇଛି। ମ୍ୟାନେଜମେଣ୍ଟ ସହିତ ଗୁରୁବାର ଚାରି ଘଣ୍ଟାର ଆଲୋଚନା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି। ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କମ୍ପାନୀ ଟପ୍ ମ୍ୟାନେଜମେଣ୍ଟ ଅଧିକାରୀ ଓ ଏଚ୍ଆର୍ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ କ୍ରୁ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଥିଲେ। ପରିଚାଳନାଗତ ଅବ୍ୟବସ୍ଥା ବିରୋଧରେ ମଙ୍ଗଳବାର ରାତିରେ ହଠାତ୍ ବହୁ ସଂଖ୍ୟକ କର୍ମଚାରୀ ସମୂହ ଛୁଟିରେ ଯିବା ଯୋଗୁଁ କମ୍ପାନୀର ଏକା ଥରକେ ୧୦୦ରୁ ଅଧିକ ଫ୍ଲାଇଟ୍ ବାତିଲ ହୋଇଥିଲା । ଯେଉଁ କାରଣରୁ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ହୋଇଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ମାନବ ସମ୍ବଳ (ଏଚ୍ଆର୍) ଅଧିକାରୀଙ୍କ ବ୍ୟତୀତ ଗୁରୁବାର ମୁଖ୍ୟ ଶ୍ରମ କମିଶନର (ସିଏଲସି) ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଚାରିଜଣ ଅଧିକାରୀ ମଧ୍ୟ ଭାଗ ନେଇଥିଲେ। ଏହି ବୈଠକରେ ପ୍ରାୟ ୨୦ ଜଣ ବରିଷ୍ଠ କ୍ରୁ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ସମସ୍ତ କ୍ରୁ ସଦସ୍ୟ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନହୁଏ, ତେବେ ଆସନ୍ତା ୨୮ରେ ସିଏଲସି କାର୍ଯ୍ୟାଳୟରେ ଏହି ପ୍ରସଙ୍ଗରେ ଏକ ବୈଠକ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି କୁହାଯାଇଛି। କମ୍ପାନୀ ପକ୍ଷରୁ ୨୫ କ୍ରୁ ସଦସ୍ୟଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।

Exit mobile version