Site icon ଆଜିକାଲି

କ୍ରୁ’ ସଦସ୍ୟଙ୍କୁ ପିଟିଲେ ଯାତ୍ରୀ, ଅଧାବାଟରୁ ଫେରି ଆସିଲା ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ ଫ୍ଲାଇଟ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ଯାତ୍ରୀଙ୍କ ଦୁର୍ବ୍ୟବହାର । ବିମାନ କ୍ରୁ’ ସଦସ୍ୟଙ୍କ ସହ ଜଣେ ଯାତ୍ରୀଙ୍କ ବଚସା ଯୋଗୁଁ ସୋମବାର ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ ଫ୍ଲାଇଟ୍ ଅଧାବାଟରୁ ଫେରି ଆସିଥିବା ଜଣାପଡ଼ିଛି।

ଅଧିକାରୀଙ୍କ କହିବାନୁସାରେ, ଦୁର୍ବ୍ୟବହାର ନେଇ ଅଭିଯୁକ୍ତ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଏପରିକି ଯାତ୍ରୀ ଜଣକ କ୍ୟାବିନ କ୍ରୁ’ର ଦୁଇ ଜଣ ସଦସ୍ୟଙ୍କୁ ପିଟିଥିଲେ । ଯାହା ଫଳରେ ଦୁଇ କ୍ରୁ’ସଦସ୍ୟ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି କାରଣରୁ ବିମାନ ଅଧା‌ବାଟରୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା । ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲାରେ ଦିଲ୍ଲୀ ବିମାନବନ୍ଦର ପୋଲିସରେ ଏକ ଏତଲା ଦିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

ଅଭିଯୁକ୍ତ ଯାତ୍ରୀଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିବା ପରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ପୁଣି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା । ଏପର୍ଯ୍ୟନ୍ତ ଅଭିଯୁକ୍ତ ଯାତ୍ରୀଙ୍କ ବିଷୟରେ ଅଧିକ ବିବରଣୀ ପ୍ରଦାନ କରାଯାଇ ନାହିଁ। ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ବିଶୃଙ୍ଖଳା ନେଇ ଅଭିଯୋଗ ହୋଇଛି ।

ଗତବର୍ଷ ନଭେମ୍ବରରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରି ଦେଇଥିଲେ । ଦୁଇ ମାସ ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉକ୍ତ ଘଟଣା ପରେ ବିମାନ ନିୟାମକ ଡିଜିସିଏ ଏୟାର ଇଣ୍ଡିଆକୁ ଜରିମାନା କରିଥିଲା ।

Exit mobile version