Site icon ଆଜିକାଲି

ଆଜି ଠାରୁ ଆକାଶରେ ଉଡିବ ‘ଆକାଶ ଏୟାର’

ନୂଆଦିଲ୍ଲୀ : ଆଜି ଠାରୁ ଆକାଶରେ ଉଡିବ ‘ଆକାଶ ଏୟାର’ । ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲାଙ୍କ ଆକାଶ ଏୟାର ଆଜି ପ୍ରଥମ ଉଡାଣ ଆରମ୍ଭ କରିବ । ବିମାନଟି ପ୍ରଥମେ ମୁମ୍ବାଇରୁ ଅହମ୍ମଦାବାଦକୁ ଯାତ୍ରା ଆରମ୍ଭ କରିବ । ଆଜି ସକାଳ ୧୦ଟା ୫ମିନିଟ ସମୟରେ ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ମୁମ୍ବାଇରୁ ଉଡାଣ ଆରମ୍ଭ କରି ୧୧ଟା ୨୫ମିନିଟରେ ଅହମଦାବାଦରେ ପହଞ୍ଚିବ ଆକାଶ ଏୟାର । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନ ଉଡାଣର ଶୁଭାରମ୍ଭ କରିବା ନେଇ ସୂଚନା ମିଳିଛି ।

ଜୁଲାଇ ୭ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(ଡିଜିସିଏ) ଏହି ନୂତନ ଏୟାରଲାଇନ୍ସକୁ ଏୟାର ଅପରେଟର ପାଇଁ ଲାଇସେନ୍ସ ଦେଇଥିଲେ । ଏହାପରେ ଟିକେଟ୍ ବିକ୍ରି ପାଇଁ ଏହାର କାଉଣ୍ଟର ଖୋଲିଥିଲା । ଆଜି ଏହାର ପ୍ରଥମ କମରସିଆଲ ବିମାନ ଉଡାଣ ଆରମ୍ଭ କରିବ । ପୂର୍ବରୁ ଏକ ବିବୃତ୍ତି ଜାରି କରି କୁହାଯାଇଥିଲା ଯେ, ”ମୁମ୍ବାଇରୁ ଅହମ୍ମଦାବାଦକୁ ୨୮ ସପ୍ତାହ ଧରି ଏହି ବିମାନ ଉଡାଣ କରିବାକୁ ଥିବା ବେଳେ ବିମାନର ଟିକେଟ ବୁକିଂ ଜାରି ରହିଛି । ଏହା ପରେ ଆଗଷ୍ଟ ୧୩ରୁ ବେଙ୍ଗାଲୁରୁ କୋଚି ମାର୍ଗରେ ଏହା ଉଡାଣ ଆରମ୍ଭ କରିବ” ।

‘ଆକାଶ ଏୟାର’ର କୋ ଫାଉଣ୍ଡର ତଥା ମୁଖ୍ୟ ବାଣିଜ୍ୟକ ଅଧିକାରୀ ପ୍ରବୀଣ ଆୟର କହିଛନ୍ତି ଯେ, ”ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ନୂତନ ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ସହିତ ଆମେ ବିମାନ ଚଳାଚଳ ଆରମ୍ଭ କରିବୁ, ଧୀରେ ଧୀରେ ଏହାକୁ ଆମେ ଅଧିକ ସହରକୁ ସଂଯୋଗ କରିବୁ” । ବର୍ତ୍ତମାନ ଦେଶରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ, ଗୋଏୟାର, ଭିସ୍ତାରା ଏବଂ ଏୟାର ଏସିଆ ଆଦି ଏୟାରଲାଇନ୍ସ ବିମାନ ସେବା ଯୋଗାଉଛନ୍ତି ।

Exit mobile version