Site icon ଆଜିକାଲି

ଏଏମୟୁରେ ଗଣତନ୍ତ୍ର ଦିବସରେ ଛାତ୍ରଙ୍କ ‘ଆଲ୍ଲା-ହୁ-ଆକବର’ ସ୍ଲୋଗାନ, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ

ଲକ୍ଷ୍ନୌ: ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ରେ ଗଣତନ୍ତ୍ର ଦିବସରେ ଜାତୀୟ ସଂଗୀତ ଗାଇବା ପରିବର୍ତ୍ତେ କିଛି ଛାତ୍ରଛାତ୍ରୀ ‘ଆଲ୍ଲା-ହୁ-ଆକବର’ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ଏନସିସି ୟୁନିଫର୍ମ ପିନ୍ଧିଥିବା କିଛି ଛାତ୍ର ଏପରି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି । ଜାତୀୟ ପତାକା ଉତ୍ତୋଳନ ପରେ ପ୍ରଥମେ ଜଣେ ଛାତ୍ର ‘ଏଏମୟୁ ଜିନ୍ଦାବାଦ୍’ ସ୍ଲୋଗାନ ଦେବା ପରେ ସବୁ ଛାତ୍ର ତାଙ୍କ ସହ ସ୍ବର ମିଳାଇ ସ୍ଲୋଗାନର ପୁନରାବୃତ୍ତି କରୁଛନ୍ତି । ଏହା ପରେ ଉକ୍ତ ଛାତ୍ର ଜଣକ ‘ନାରା-ଏ-ତକବୀର’ ବୋଲି କହିବା ପରେ ଅନ୍ୟ ସବୁ ଛାତ୍ର ‘ଆଲ୍ଲା-ହୁ-ଆକବର’ ସ୍ଲୋଗାନ ଦେଇଥିଲେ । ‌

ଆଲିଗଡ ଏସପି ସିଟି କୁଲଦୀପ ଗଣମାଧ୍ୟମକୁ କହିଛନ୍ତି, “ଏଏମୟୁର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଛାତ୍ରମାନେ ଧାର୍ମିକ ସ୍ଲୋଗାନ ଦେଉଛନ୍ତି। ଏହି ଭିଡିଓ ବିଶ୍ୱବିଦ୍ୟାଳୟ ଏବଂ ଏଠାରେ ପଢୁଥିବା କିଛି ଛାତ୍ରଛାତ୍ରୀଙ୍କ ସହ ଜଡିତ । ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ୱବିଦ୍ୟାଳୟକୁ କୁହାଯାଇଛି ।”

ବିଶ୍ବବିଦ୍ୟାଳୟ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ଏମୟୁ ପ୍ରକ୍ଟର ପ୍ରଫେସର ୱାସିମ ଅଲି କହିଛନ୍ତି ଯେ “ ଗଣତନ୍ତ୍ର ଦିବସ ଉପରେ ଆମ କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା। ଏହି ଛାତ୍ରମାନେ ବାହାରକୁ ଯାଉଥିଲେ। ସେମାନେ ମୁଖ୍ୟ ପ୍ରସ୍ଥାନ ଫାଟକ ନିକଟରେ ଠିଆ ହୋଇଥିଲେ | ସେହି ପୁଅମାନଙ୍କ ମଧ୍ୟରୁ ଜଣେ ଏଭଳି ସ୍ଲୋଗାନ ଦେଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି | ଏହି ଭିଡିଓ ନେଇ ଲୋକମାନେ ଆପତ୍ତି ଉଠାଇଛନ୍ତି । ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଛାତ୍ର ଚିହ୍ନଟ ପରେ ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Exit mobile version