Site icon ଆଜିକାଲି

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୦୮

??????

ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରିପାରନ୍ତି । ରାଜ୍ୟରେ ସରକାରୀ ଆମ୍ବୁଲାନ୍ସର ଅଭାବ ଦେଖାଦେଲେ ଘରୋଇ ଆମ୍ବୁଲାନ୍ସ ଏହାର କମି ପୂରଣ କରିବ । ଯାହା ଫଳରେ ରାଜ୍ୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ଅଭାବ ହେବ ନାହିଁ । ସରକାରୀ ଆମ୍ବୁଲାନ୍ସ ନମିଳିଲେ ତୁରନ୍ତ ଘରୋଇ ଆମ୍ବୁଲାନ୍ସ ମିଳିଯିବ । ଏହା ସହିତ ସାଧାରଣ ଲୋକଙ୍କୁ ଆଉ ଘରୋଇ ହସ୍ପିଟାଲର ଶୋଷଣ ଅଭିଯୋଗ ରହିବ ନାହିଁ । ଏଥିପାଇଁ ରାଜ୍ୟର ନବୀନ ସରକାର ଆମ୍ବୁଲାନ୍ସ ମ୍ୟାପିଂ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହି ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୫ ହଜାର ଆମ୍ବୁଲାନ୍ସ ସାମିଲ ରହିଛି । ବର୍ତ୍ତମାନ ସରକାରୀ ହେଉ ଅବା ଘରୋଇ ଲୋକଙ୍କ ଗୋଟିଏ ନମ୍ୱର ୧୦୮ରେ ହିଁ କଲ୍ କରିବାକୁ ପଡ଼ିବ । ଅତୀତରେ ଘରୋଇ ଆମ୍ବୁଲାନ୍ସ ପାଇଁ ବିଭିନ୍ନ ମୋବାଇଲ୍‌ ନମ୍ବରରେ କଲ୍‌ କରିବାକୁ ପଡୁଥିଲା । ଆମ୍ବୁଲାନ୍ସର ଆବଶ୍ୟକତା ହେଲେ ଆପଣ କେବଳ ୧୦୮ ନମ୍ୱରରେ କଲ୍‌ କରି ଏହାର ସେବା ନେଇପାରିବେ । ଆପଣ ୧୦୮ ନମ୍ୱରରେ କଲ୍ କରିବା ମାତ୍ରେ ଘରୋଇ ହେଉ ଅବା ସରକାରୀ ଆମ୍ବୁଲାନ୍ସ ଆପଣଙ୍କ ନିକଟ ପହଞ୍ଚିଯିବ ।

ସେପଟେ ସୂଚନା ମୁତାବକ, ସରକାରୀ ଓ ଘରୋଇ ଆମ୍ବୁଲାନ୍ସକୁ ମିଶାଇ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇସାରିଛି । କେଉଁ ସଂସ୍ଥା ଏହାକୁ ପରିଚାଳନା କରିବ, ସେଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । କିନ୍ତୁ ଘରୋଇ ଆମ୍ବୁଲାନ୍ସ ଲୋକଙ୍କ ଠାରୁ କେତେ ଭଡ଼ା ନେବେ ନା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ କିପରି ନିୟମ ଲାଗୁ ହେବ, ସେନେଇ ସରକାରଙ୍କ ତରଫରୁ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ । କିନ୍ତୁ ଖୁବ୍‌ ଶୀଘ୍ର ରାଜ୍ୟ ସରକାର ଏହା ଉପରେ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।

Exit mobile version