Site icon ଆଜିକାଲି

ଆମେରିକା ଇସ୍ରାଏଲ ସହିତ ଅଛି : ଜୋ ବାଇଡେନ

ନୂଆଦିଲ୍ଲୀ : ହମାସ୍-ଇସ୍ରାଏଲ ଯୁଦ୍ଧ ଆହୁରି ଭୟଙ୍କର ସ୍ଥିତି ଧାରଣ କରିଛି। ବିଗତ ୭ ଦିନ ମଧ୍ୟରେ ଏହି ମହାସଂଘର୍ଷରେ ଉଭୟ ପକ୍ଷର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହମାସ୍ ଆକ୍ରମଣରେ ୧୩୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ ସେନା ଆକ୍ରମଣରେ ୩ ହଜାରରୁ ଅଧିକ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ଅଧିକାଂଶ ଭାବେ ସାଧାରଣ ଲୋକ ବଳି ପଡ଼ିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳା ମଧ୍ୟ ସାମିଲ ରହିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ କରି ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି କୌଣସି ସ୍ତରରେ ଆଲୋଚନା କରିବା ସମ୍ଭବ ହୋଇ ନାହିଁ। ବରଂ ହମାସକୁ ନିର୍ମୂଳ କରିବାର ସଂକଳ୍ପ ନେଇ ଇସ୍ରାଏଲ ଆହୁରି ଯୁଦ୍ଧମୁହାଁ ହୋଇଛି। ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ହମାସର ମୁଖ୍ୟ ଆଡ୍ଡାସ୍ଥଳ ଗାଜାପଟିକୁ ଟାର୍ଗେଟ କରାଯାଇଥିଲା ବେଳେ ଏହି ଅଞ୍ଚଳ ଘନ ଘନ ରକେଟ୍ ଏବଂ ବୋମା ମାଡରେ ଧ୍ବସ୍ତବିଧ୍ବସ୍ତ ହୋଇସାରିଛି। ଏପରିକି ଏହି ଅଞ୍ଚଳରେ ରହିଥିବା ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ମଧ୍ୟ ଇସ୍ରାଏଲୀ ସେନାର ଲକ୍ଷ୍ୟରୁ ବାଦ୍ ପଡ଼ି ନାହିଁ।

ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ନେଇ କହିଛନ୍ତି, ସେମାନେ ସଇତାନ। ଆତଙ୍କବାଦୀ ସଂଗଠନ ଅଲ କାଏଦା ଠାରୁ ହମାସ୍ ଅତ୍ୟନ୍ତ ଖରାପ। ଇସ୍ରାଏଲ ଉପରେ ହମାସ୍ କରିଥିବା ଆକ୍ରମଣକୁ ଦେଖିଲେ ଏହା କେତେ ଭୟଙ୍କର ତାହା ଜଣାପଡୁଛି। ହମାସ ଆତଙ୍କବାଦୀ କରିଥିବା ଆକ୍ରମଣରେ ୨୭ ଆମେରିକୀୟଙ୍କ ସମେତ ୧୩୦୦ ଅଧିକ ଇସ୍ରାଏଲର ନିରୀହ ଲୋକ ନିହତ ହୋଇଛନ୍ତି। ଜୋ ବାଇଡେନ ଆହୁରି ମଧ୍ୟ କହିଛନ୍ତି ମୁଁ ଆରମ୍ଭରୁ କହିଛି ଯେ ଆମେରିକା ଇସ୍ରାଏଲ୍ ସହିତ ଅଛି।

Exit mobile version