Site icon ଆଜିକାଲି

କୂଟନୈତିକ ତିକ୍ତତା ମଧ୍ୟରେ କାନାଡ଼ା ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟରେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାରଙ୍କ ଆସିଛି ବଡ଼ ବୟାନ। ଭାରତ ସହ ତାଙ୍କ ଦେଶର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବ୍ଲେୟାର। ସେ କହିଛନ୍ତି, ଏହା (ନିଜ୍ଜର ହତ୍ୟାକାଣ୍ଡ) ଭାରତ ସହ ଆମ ସମ୍ପର୍କରେ ଏକ ଚ୍ୟାଲେଞ୍ଜିଂ ପ୍ରସଙ୍ଗ ହୋଇପାରେ । ଏହାଛଡ଼ା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆମର ଦାୟିତ୍ବ।

ଗତ ସପ୍ତାହରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ-କାନାଡା ସମ୍ପର୍କରେ ତିକ୍ତତା ବଢ଼ିଥିଲା । କାନାଡ଼ାର ସଂସଦରେ ଟ୍ରୁଡୋ ଦାବି କରିଥିଲେ ଯେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟମାନେ ସମ୍ପୃକ୍ତ ଅଛନ୍ତି। ଟ୍ରୁଡୋଙ୍କ ଏହି ଅଭିଯୋଗ ପରେ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ଭିତ୍ତିହୀନ କହି ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲା ଭାରତ ।

ନିଜ୍ଜର ହତ୍ୟା ମାମଲାରେ ସଂସଦରେ ଟ୍ରୁଡୋଙ୍କ ବୟାନ ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞୁ ବହିଷ୍କୃତ କରିଥିଲା । କିନ୍ତୁ ପରଦିନ ଭାରତ ମଧ୍ୟ ଯେସାକୁ ତେସା ନୀତିରେ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏହାଛଡ଼ା କାନାଡ଼ାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଆଲର୍ଟ ଜାରି କରିଥିଲା ଭାରତ । କାନାଡ଼ାର ନାଗରିକଙ୍କୁ ଭିସା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତ ସରକାର ।

ଭାରତ-କାନାଡା ବିବାଦ ମଧ୍ୟରେ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ବଡ଼ ବୟାନ ଦେଇଛନ୍ତି । ଆମେରିକାର ଗୁଇନ୍ଦା ତଥ୍ୟ ଆଧାରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ପାଞ୍ଚଟି ଦେଶକୁ ନେଇ ଗଠିତ ‘ଫାଇଭ୍ ଆଇଜ୍’ ଗୁଇନ୍ଦା ମେଣ୍ଟ ଅଧିନରେ କାନାଡାକୁ ନିଜ୍ଜର ହତ୍ୟାକାଣ୍ଡ ନେଇ ଆମେରିକା କିଛି ତଥ୍ୟ ଦେଇଥିଲା । ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରିଟେନ ଓ ନ୍ୟୁଜଲ୍ୟାଣ୍ଡକୁ ନେଇ ‘ଫାଇଭ୍ ଆଇଜ୍’ ହେଉଛି ଏକ ଗୁଇନ୍ଦା ମେଣ୍ଟ ।

Exit mobile version