Site icon ଆଜିକାଲି

ପୋଲିସକୁ ଚକମା ଦେଇ ଖସି ପଳାଇଲେ ଅମୃତପାଲ ସିଂ, ପଳାତକ ଘୋଷିତ

ଚଣ୍ଡିଗଡ଼ : ପଞ୍ଜାବ ସରକାର ଖଲିସ୍ତାନ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଶନିବାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ସିଂଙ୍କ ସଂଗଠନର ୭୮ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ତେବେ ଅମୃତପାଲ ସିଂ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅମୃତପାଲ ସିଂହଙ୍କ କନଭଏକୁ ଜଲନ୍ଦର ଜିଲ୍ଲାରେ ଅଟକାଯାଇଥିଲା, କିନ୍ତୁ ସେ ପୋଲିସକୁ ଚକମା ଦେଇ ଖସି ପଳାଇଥିଲେ । ପଞ୍ଜାବ ପୋଲିସ ସିଂହଙ୍କୁ ପଳାତକ ଘୋଷିତ କରିଛି ଓ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା କହିଛି । ଇତି ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ରବିବାର ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବା ବନ୍ଦ କରାଯାଇଛି ।

ସିଂଙ୍କ ନେତୃତ୍ବାଧୀନ ୱାରିସ୍ ପଞ୍ଜାବ ଦେ (ଡବ୍ଲୁପିଡି) ସହ ଜଡିତ ଲୋକଙ୍କ ବିରୋଧରେ ରାଜ୍ୟବ୍ୟାପୀ ଏକ ବଡ଼ ଋକର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ (ସିଏଏସ୍ଓ) ଆରମ୍ଭ ହୋଇଥିବା ପୋଲିସ କହିଛି। ସିଂଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା। ପୋଲିସର ସୂଚନାନୁସାରେ, ଅପରେସନ୍ ସମୟରେ ଏପର୍ଯ୍ୟନ୍ତ ମୋଟ ୭୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅନେକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି ।

‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ କିଛି ସମର୍ଥକ ସୋସିଆଲ ମିଡିଆରେ କିଛି ଭିଡିଓ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ ଅମୃତପାଲ ମଧ୍ୟ ଏକ ଗାଡିରେ ବସିଥିବା ଦେଖିବାକୁ ମିଳୁଛି ଏବଂ ତାଙ୍କର ଜଣେ ସହଯୋଗୀ କହୁଛନ୍ତି ଯେ ପୋଲିସ୍ ‘ଭାଇ ସାହାବ’ଙ୍କ (ଅମୃତପାଲ) ପିଛା କରୁଛି। ରାଜ୍ୟବ୍ୟାପୀ ଅପରେସନ ବେଳେ ଏପର୍ଯ୍ୟନ୍ତ ଗୋଟିଏ ୩୧୫ ବୋରର ରାଇଫଲ, ୧୨ ବୋରର ୭ଟି ରାଇଫଲ, ଗୋଟିଏ ରିଭଲଭର ଏବଂ ୩୭୩ କାର୍ଟ୍ରିଜ ଜବତ କରାଯାଇଛି ବୋଲି ପୋଲିସ କହିଛି। ପଞ୍ଜାବର ଅନେକ ସ୍ଥାନରେ ଯାନବାହାନ ଯାଞ୍ଚ ସହ ସୁରକ୍ଷା କଡାକଡି କରାଯାଇଛି। ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ଅପରାଧରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ଫେବୃଆରୀ ୨୪ରେ ଅଜନାଲା ପୋଲିସ ଥାନା ଉପରେ ହୋଇଥିବା ଆକ୍ରମଣ ପାଇଁ ଅମୃତପାଲ ସିଂ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିଜର ଜଣେ ସହଯୋଗୀକୁ ଛାଡ଼ିବାକୁ ଦାବି କରି ଗତ ମାସରେ ଅମୃତପାଲ ଏବଂ ତାଙ୍କ ସମର୍ଥକମାନେ ଖଣ୍ଡା ଏବଂ ବନ୍ଧୁକ ସହ ବ୍ୟାରିକେଡ ଭାଙ୍ଗି ଅମୃତସର ସହର ପରିସରରେ ଥିବା ଅଜନାଲା ପୋଲିସ ଥାନା ଉପରେ ଆକ୍ରମଣ କରିଥିଲେ ।

Exit mobile version