Site icon ଆଜିକାଲି

ଅମୃତପାଲ ସିଂର ଗନମ୍ୟାନ୍ ଗିରଫ

ଚଣ୍ଡିଗଡ଼: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂକୁ ଖୋଜୁଥିବା ପଞ୍ଜାବ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଅମୃତପାଲ ସିଂର ଗନମ୍ୟାନ୍ ତେଜିନ୍ଦର ସିଂ ଓରଫ୍ ଗୋରଖା ବାବାକୁ ଗିରଫ କରିଛି। ଗୋରଖା ଅମୃତପାଲ ସିଂର ଘନିଷ୍ଠ ଥିଲା ‌। ତାକୁ ସବୁବେଳେ ଅମୃତପାଲର ସୁରକ୍ଷାରେ ମୁତୟନ କରାଯାଉଥିଲା । ଅଜନାଲା ଥାନା ଆକ୍ରମଣ ମାମଲାରେ ମଧ୍ୟ ତେଜିନ୍ଦର ସିଂ ଜଣେ ଅଭିଯୁକ୍ତ।

ତେଜିନ୍ଦର ସିଂ ହେଉଛି ମଲୋଡର ମନଗେୱାଲର ବାସିନ୍ଦା। ସେ ଅମୃତପାଲର ଅତି ଘନିଷ୍ଠ ବୋଲି କୁହାଯାଉଛି | ତେଜିନ୍ଦର ମଧ୍ୟ ସୋସିଆଲ ମିଡିଆରେ ଅମୃତପାଲ ସହ ଅସ୍ତ୍ରଶସ୍ତ୍ର ସହିତ ଫଟୋ ପୋଷ୍ଟ କରିଥିଲା | ଦଫା ୧୦୭/୧୫୧ ଅନୁଯାୟୀ ଗୋରଖା ବାବା ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହାଛଡ଼ା ତେଜିନ୍ଦରଙ୍କ ଦୁଇ ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ତେଜିନ୍ଦର ସିଂ ପୂର୍ବରୁ ମଧ୍ୟ ଜେଲ୍ ଯାଇଛି । ତା’ ବିରୋଧରେ ମାରପିଟ୍ ଓ ବେଆଇନ ମଦ କାରବାର ମାମଲା ରୁଜୁ ହୋଇସାରିଛି। ଅଜନାଲା ଘଟଣାରେ ମଧ୍ୟ ତା’ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅନ୍ୟପକ୍ଷରେ ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ଅମୃତପାଲ ଦେଶ ଭିତରେ ହିଁ କେଉଁଠି ଲୁଚିଥିବା ପୋଲିସ ସନ୍ଦେହ କରୁଛି | ଅମୃତପାଲ ପାଇଁ ପଞ୍ଜାବ ସହ ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ଆଲର୍ଟ ଜାରି କରାଯାଇଛି। ଏହାଛଡ଼ା ଅମୃତପାଲ ଯେପରି ପଡ଼ୋଶୀ ଦେଶ ପାକିସ୍ତାନ କିମ୍ବା ନେପାଳକୁ ନ ପଳାଏ, ସେଥିପାଇଁ ସୀମାରେ ବିଏସ୍ଏଫ୍ ଓ ଏସସିବିକୁ ଆଲର୍ଟ କରାଯାଇଛି। ମାର୍ଚ୍ଚ ୧୮ରେ ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ପୋଲିସ ଏକ ବଡ଼ ଅପରେସନ ଆରମ୍ଭ କରିଥିଲା । ତେବେ ପୋଲିସକୁ ଚକମା ଦେଇ ସେ ଖସି ପଳାଇବାରେ ସଫଳ ହୋଇଥିଲା ।

Exit mobile version