Site icon ଆଜିକାଲି

ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ାଇଲା ଅମୁଲ

ନୂଆଦିଲ୍ଲୀ : ଅମୁଲ ପୁଣି କ୍ଷୀର ଦାମ୍ ବଢ଼ାଇଛି । ଗୁଜରାଟକୁ ଛାଡ଼ି କମ୍ପାନୀ ସବୁ ରାଜ୍ୟରେ ଫୁଲ୍ କ୍ରିମ୍ କ୍ଷୀର ଓ ମଇଁଷି କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଜାତୀୟ ରାଜଧାନୀରେ ବର୍ତ୍ତମାନ ଏକ ଲିଟର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ଟଙ୍କା ହୋଇଛି । ଏହାପୂର୍ବରୁ ଅମୁଲ ଅଗଷ୍ଟ ମାସରେ କ୍ଷୀର ମୂଲ୍ୟ ବଢ଼ାଇଥିଲା। ମୂଲ୍ୟ ବଢାଇବା କାରଣ ମଧ୍ୟ କହିଥିଲା ଅମୁଲ ।

ତେବେ କମ୍ପାନୀ ଏଥର ହାଠାତ୍ ଦର ବୃଦ୍ଧି କରିଛି । ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ଏହାର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । ଯାହା ଫଳରେ ଫୁଲ୍ କ୍ରିମ୍ କ୍ଷୀର ଏବେ ୬୩ ଟଙ୍କାରେ ପହଞ୍ଚିଛି। ତେବେ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

ଅମୁଲ ତୃତୀୟ ଥର ପାଇଁ ନିଜ ଦୁଗ୍ଧ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛି । ଉତ୍ପାଦନର ଖର୍ଚ୍ଚ ବଢୁଥିବା ଦର୍ଶାଇ କମ୍ପାନୀ ଅଗଷ୍ଟ ଏବଂ ମାର୍ଚ୍ଚରେ ଏହାର ଦୁଗ୍ଧ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଥିଲା। ଏହାପୂର୍ବରୁ ଅଗଷ୍ଟ ମାସରେ ଅମୁଲ ସମେତ ପ୍ରମୁଖ ଦୁଗ୍ଧ ଉତ୍ପାଦକ ଏବଂ ବିତରକମାନେ ନିଜ ଉତ୍ପାଦର ମୂଲ୍ୟ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ। ମଦର୍ ଡେରି ପରି ଦୁଗ୍ଧ ବ୍ରାଣ୍ଡଗୁଡୀକ ମଧ୍ୟ ଅମୁଲ ନିଷ୍ପତ୍ତିର ଅନୁସରଣ କରି କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ାଇଥିଲେ।

Exit mobile version