Site icon ଆଜିକାଲି

ଆଇଏଏସ୍ ସଂଘର ବିରୋଧ ସତ୍ତ୍ଵେ ଜେଲରୁ ମୁକୁଳିଲେ ବାହୁବଳୀ ନେତା ଆନନ୍ଦ ମୋହନ

ପାଟନା: ଜେଲରୁ ମୁକୁଳିଛନ୍ତି ବିହାରର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଆନନ୍ଦ ମୋହନ । ମିଳିଥିବା ସୂଚନା ଅନୁଯାୟୀ, ତତ୍କାଳୀନ ଗୋପାଳଗଞ୍ଜ ଜିଲ୍ଲାପାଳ ଜି କୃଷ୍ଣୈୟା ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ କାଟୁଥିବା ଆନନ୍ଦ ମୋହନଙ୍କୁ ଆଜି ଭୋର୍ ପ୍ରାୟ ୩ଟାରେ ବିହାରର ସହରସା ଜେଲରୁ ମୁକ୍ତ କରାଯାଇଛି ।

ବିହାରର ନୀତିଶ ସରକାର ରାଜ୍ୟ କାରାଗାର ଆଇନରେ ସଂଶୋଧନ କରିବା ପରେ ଆନନ୍ଦ ମୋହନଙ୍କ ସହ ବିଭିନ୍ନ ଜେଲରେ ବନ୍ଦୀ ଥିବା ୨୭ ଜଣ କଏଦୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । କାରାଗାର ଆଇନରେ ସଂଶୋଧନ ମୁତାବକ ୧୪ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା କଏଦୀମାନଙ୍କୁ ମୁକ୍ତ କରାଯିବ ।

ଆଇଏଏସ୍ ସଂଘ ଓ ଜି କୃଷ୍ଣୈୟାଙ୍କ ପତ୍ନୀଙ୍କ ବିରୋଧ ସତ୍ତ୍ବେ ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ବିହାର ସରକାରଙ୍କ ନିଷ୍ପତ୍ତିରେ ଆଇଏଏସ୍ ସଂଘ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା ।

ଆଇଏଏସ୍ ସଂଘ ଟୁଇଟ୍ କରି କହିଥିଲା ଯେ ସେ (ଆନନ୍ଦ ମୋହନ) ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏଭଳି ସ୍ଥଳେ ତାଙ୍କୁ ଛାଡ଼ିଦେବା ପରିତାପର ବିଷୟ | ବିହାର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ୍। ଏଭଳି ନିଷ୍ପତ୍ତି କେବଳ ସରକାରୀ କର୍ମଚାରୀଙ୍କ ମନୋବଳ ହ୍ରାସ କରିବ।

ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନାରେ ଜନ୍ମିତ ଆଇଏଏସ୍ ଅଧିକାରୀ ତଥା ବିହାର ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଜି କୃଷ୍ଣୈୟାଙ୍କୁ ୧୯୯୪ ମସିହାରେ ହତ୍ୟା କରାଯାଇଥିଲା । ଜି କୃଷ୍ଣୈୟା ନିଜ‌ ସରକାରୀ କାରରେ ମୁଜାଫରପୁର ଦେଇ ଯାଉଥିବା ବେଳେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଭିଡ଼ ତାଙ୍କୁ ଅଟକାଇ ପିଟି ପିଟି ହତ୍ୟା କରିଥିଲେ । ହତ୍ୟା ସମୟରେ ଆନନ୍ଦ ମୋହନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଏହି ହତ୍ୟା ମାମଲାରେ ଆନନ୍ଦ ମୋହନଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡ ମିଳିଥିଲା । ହେଲେ ପରେ ହାଇକୋର୍ଟ ତାଙ୍କ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

Exit mobile version