Site icon ଆଜିକାଲି

ଆସାମରୁ ଅଲକାଏଦା ସହ ଜଡିତ ଆଉ ଜଣେ ଗିରଫ

ଗୌହାଟୀ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଲିଙ୍କ୍ ମାମଲାରେ ଆସାମରୁ ଆଉ ଜଣେ ଗିରଫ । ଗିରଫ ବ୍ୟକ୍ତିଙ୍କ ନାମ ମୁଫ୍‌ତି ହଫିଜୁର ରେହମାନ । ଗୁରୁବାର ଦିନ ରେହମାନକୁ ଆସାମ ପୋଲିସ୍ ଗିରଫ କରିଛି । ପଚରାଉଚରା ସମୟରେ ସେ ଇସଲାମିକ୍ ଆତଙ୍କୀ ସଂଗଠନ ଅଲକାଏଦା ସହ ସମ୍ପର୍କରେ ରହିଥିବା ସ୍ବୀକାର କରିଥିବା ସୂଚନା ମିଳିଛି । ଅଲକାଏଦା ଆସାମରେ ନିଜର ବେସ୍ ପ୍ରତିଷ୍ଠା କରି ଭାରତରେ ନିଜର ନେଟୱାର୍କ ମଜବୁତ କରିବାକୁ ପ୍ରଚେଷ୍ଟା କରୁଥିବାର ଆସାମ ଡିଜିପି ଭାସ୍କର ଜ୍ୟୋତି ମାହାନ୍ତା କହିଛନ୍ତି ।

ସୂଚନାଯୋଗ୍ୟ, ମୁଫ୍‌ତି ହଫିଜୁର ରେହମାନର ଅଲକାଏଦା ସହ ଲିଙ୍କ୍ ଥିବା ସନ୍ଦେହ କରି ପୋଲିସ୍ ଦୁଇ ଦିନ ତଳେ ତାକୁ ଉଠାଇ ନେଇଥିଲା । ପଚାରଉଚାର ସମୟରେ ସେ ସତ ଓଗାଳିଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡ ସମୟରେ ଅଧିକ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇସଲାମିକ ଆତଙ୍କୀ ସଂଗଠନ ସହ ଜଡିତ ଅଭିଯୋଗରେ ଗତ ସପ୍ତାହରେ ୪ ଜଣ ଗିରଫ ହୋଇଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଅଲକାଏଦା ସହ ଲିଙ୍କ୍ ଘଟଣାରେ ଏବେସୁଦ୍ଧା ଆସାମରୁ ୩୪ ଜଣ ଗିରଫ ହୋଇସାରିଲେଣି । କିଛି ଆତଙ୍କୀ ଗୋଷ୍ଠୀ ଆସାମ ବାହାରେ ବାଲାଂଦେଶରେ ରହି ଏଠାରେ ନେଟୱାର୍କ ବଢାଇବାକୁ ଷଡଯନ୍ତ୍ର କରୁଛି । ସେମାନେ ରାଜ୍ୟର ଯୁବବର୍ଗଙ୍କୁ ଟାର୍ଗେଟ କରି ନିଜ ସଂଗଠନରେ ମିଶାଇବାକୁ ଯୋଜନା କରୁଛନ୍ତି । ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପ ସହ ଯୋଡି ହେବାକୁ ଉସକାଉଛନ୍ତି । ହେଲେ ଆସାମ ପୋଲିସ କେବେ ଏହାକୁ ସଫଳ ହେବାକୁ ଦେବନି ବୋଲି କହିଛି । ପ୍ରକାଶଥାଉ କି, ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରୁଥିବା ଜଣେ ଆତଙ୍କୀକୁ ଗିରଫ କରାଯାଇଥିଲା । ଏହି ଆକ୍ରମଣ ପାଇଁ ଉକ୍ତ ଆତଙ୍କବାଦୀକୁ ପାକିସ୍ତାନର ଜଣେ କର୍ଣ୍ଣେଲ ୩୦ ହଜାର ଟଙ୍କା ଦେଇ ପଠାଇଥିଲେ । ପଚରାଉଚରା ସମୟରେ ଆତଙ୍କବାଦୀ ଜଣଙ୍କ ଏହି କଥା ସ୍ବୀକାର କରିଥିଲା ।

Exit mobile version