Site icon ଆଜିକାଲି

ଆଜମ ଖାନଙ୍କୁ ପୁଣି ଏକ ଝଟକା, ପୁଅ ଅବଦୁଲ୍ଲା ବି ହରାଇଲେ ବିଧାନସଭା ସଦସ୍ୟତା

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି । ବୁଧବାର ଉତ୍ତର ପ୍ରଦେଶ ବିଧାନସଭା ସଚିବାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏନେଇ ଘୋଷଣା କରାଯାଇଛି । ସୋମବାର ମୋରାଦାବାଦର ସାଂସଦ / ବିଧାୟକ କୋର୍ଟ ଆଜମ ଖାନ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜାମଙ୍କୁ ଏକ ୧୫ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଉଭୟଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩୦୦୦ ଟଙ୍କା ଜରିମାନା ହୋଇଥିଲା । କୋର୍ଟଙ୍କ ରାୟର ୨୪ ଘଣ୍ଟା ମଧ୍ୟରେ ଅବଦୁଲ୍ଲା ଆଜମଙ୍କ ସଦସ୍ୟତା ରଦ୍ଦ ହୋଇଛି ।

ଅବଦୁଲ୍ଲା ଆଜମ ଉତ୍ତର ପ୍ରଦେଶ ରାମପୁର ଜିଲାର ସୁଆର ଆସନରୁ ଏସପି ବିଧାୟକ ଥିଲେ । ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପରେ ଏହି ଆସନରେ ଉପନିର୍ବାଚନ ହେବ। ଗତ ୩ ବର୍ଷ ମଧ୍ୟରେ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ଦୁଇଥର ରଦ୍ଦ ହୋଇଛି । ତିନି ବର୍ଷ ତଳେ ବୟସ ପ୍ରମାଣପତ୍ର ଜାଲିଆତି ମାମଲାରେ ହାଇକୋର୍ଟ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିଥିଲେ । ୨୦୧୩ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଯେ ଯଦି ବିଧାୟକ, ବିଧାନ ପରିଷଦର ସଦସ୍ୟ କିମ୍ବା ଜଣେ ସାଂସଦଙ୍କୁ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ। ଅବଦୁଲ୍ଲାଙ୍କ ବାପା ଆଜମ ଖାନଙ୍କ ମଧ୍ୟ ଗତବର୍ଷ ବିଧାନସଭା ସଦସ୍ୟତା ରଦ୍ଦ ହୋଇଥିଲା । ୨୦୧୯ର ଏକ ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜମ ଖାନ ତାଙ୍କ ବିଧାୟକ ପଦ ହରାଇଥିଲେ ।

ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜାମ ଏବେ ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାହା ହେଉଛି ୧୫ ବର୍ଷ ପୁରୁଣା ଛଜଲୈଟ୍ ମାମଲା । ଜାନୁୟାରୀ ୨, ୨୦୦୮ରେ ମୋରାଦାବାଦର ତତ୍କାଳୀନ ଏସ୍ଏସପି ପ୍ରେମ ପ୍ରକାଶ ହରିଦ୍ୱାର ରାଜପଥରେ ଛଜଲୈଟ ପୋଲିସ ଥାନା ନିକଟରେ ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ଗାଡିକୁ ଯାଞ୍ଚ୍ ପାଇଁ ଅଟକାଇଥିଲେ।

ଆଜାମଙ୍କ କାରରେ ଲଗାଯାଇଥିବା ହୁଟରକୁ ହଟାଇ ଦିଆଯାଇଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା । ଏହାକୁ ବିରୋଧ କରି ଆଜାମ ଖାନ ସେହି ରାସ୍ତାରେ ହିଁ ଧାରଣାରେ ବସିଥିଲେ। ଏହା ପରେ ନିକଟ ଜିଲ୍ଲାର ଏସପି ନେତା ତଥା କର୍ମୀମାନେ ମଧ୍ୟ ଛଜଲୈଟରେ ପହଞ୍ଚି ଆଜମଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ଆଜାମ ଖାନ ଏବଂ ଅନ୍ୟ ଏସପି ନେତାଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଲୋକଙ୍କୁ ଉସକାଇ ହଙ୍ଗାମା କରିବା ନେଇ ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Exit mobile version