Site icon ଆଜିକାଲି

‘ଇଣ୍ଡିଆ’ ମେଣ୍ଟକୁ ପୁଣି ଏକ ଝଟକା, ପଞ୍ଜାବର ସମସ୍ତ ଲୋକସଭା ଆସନରେ ଲଢ଼ିବ ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଲାଗିଛି ପୁଣି ଏକ ଝଟକା । ଏହି ମେଣ୍ଟରୁ ନୀତିଶ କୁମାରଙ୍କ ଜେଡିୟୁ ଅଲଗା ହୋଇଥିବାବେଳେ ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବାକୁ ତୃଣମୂଳ କଂଗ୍ରେସ ସ୍ପଷ୍ଟ କରିସାରିଛି । ଏବେ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ପଞ୍ଜାବର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ପୁଣି ଥରେ ହାତଯୋଡ଼ି ଆପଣଙ୍କର (ଲୋକଙ୍କ) ଆଶୀର୍ବାଦ ଲୋଡିଛି। ଦୁଇ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ୧୩ଟି (ଲୋକସଭା) ଆସନ ଅଛି, ଚଣ୍ଡିଗଡ଼ରେ ଗୋଟିଏ | ଆପ୍ ଏହି ୧୪ଟି ଆସନ ପାଇଁ ଆସନ୍ତା ୧୦-୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଏକା ଲଢ଼ିବ । ଏହାପରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିଲେ । ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାରୁ ସ୍ପଷ୍ଟ ଯେ ‘ଇଣ୍ଡିଆ’ ମେଣ୍ଟ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି ।

Exit mobile version