Site icon ଆଜିକାଲି

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଳ: ଆଫ୍ରିକାରୁ ଅଣା ଯାଇଥିବା ଆଉ ଏକ ଚିତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ହୋଇଛି। ମୃତ ଅଣ୍ଡିରା ଚିତାର ନାମ ‘ଉଦୟ’ । ତେବେ ଚିତାବାଘର ମୃତ୍ୟୁର କାରଣ ଜଣାପଡିନାହିଁ।

ମଧ୍ୟପ୍ରଦେଶର ବନ ସଂରକ୍ଷକ ଜେଏସ ଚୌହାନଙ୍କ କହିବା ଅନୁଯାୟୀ ଅସୁସ୍ଥ ଚିତା ‘ଉଦୟ’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଚିତାର ସ୍ବାସ୍ଥ୍ୟ ସମସ୍ୟା କ’ଣ ଥିଲା ତାହା ସେ କହିନାହାଁନ୍ତି ।

ଚିତା ମୃତ୍ୟୁ ନେଇ ଦିଆଯାଇଥିବା ପ୍ରେସ ନୋଟରେ କୁହାଯାଇଛି ଯେ ରବିବାର ପୂର୍ବାହ୍ନରେ ଚିତା ଉଦୟ ମୁଣ୍ଡ ନୁଆଁଇ ବସିଥିବା ମନିଟରିଂ ଟିମ୍ ଦେଖିଥିଲେ । ଦିନକ ପୂର୍ବରୁ ଚିତା ସମ୍ପୂର୍ଣ୍ଣ ସୁସ୍ଥ ଥିଲା ବୋଲି କୁହାଯାଇଛି ।

ଚିତା ଅବସ୍ଥା ସମ୍ପର୍କରେ ସୂଚନା ପାଇବା ପରେ ଡାକ୍ତରମାନେ ତୁରନ୍ତ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚି ଚିତା ଅସୁସ୍ଥ ଥିବା ଦେଖିବାକୁ ପାଇଥିଲେ। ସକାଳ ୧୧ଟାରେ ଚିତା ଉଦୟର ଚିକିତ୍ସା କରାଯାଇଥିଲା। ଏହା ପରେ ତାର ଅବସ୍ଥାରେ ସୁଧାର ଦେଖି ତାକୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ତେବେ ଅପରାହ୍ନ ୪ଟାରେ ତାର ମୃତ୍ୟୁ ହୋଇଥିଲା ।

ଗତ ମାସରେ ଏକ ମାଈ ଚିତା ‘ଶାଶା’ର ମଧ୍ୟ କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଥିଲା। କିଡନୀ ରୋଗ ଯୋଗୁଁ ଶାଶାର ମୃତ୍ୟୁ ହୋଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ନାମିବ୍ୟାରୁ ଭାରତକୁ ଆଣା ଯାଇଥିବା ୮ ଟି ଚିତା ମଧ୍ୟରୁ ଶଶା ଥିଲା ଅନ୍ୟତମ ।

ଚଳିତ ବର୍ଷ ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତକୁ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା।

Exit mobile version