Site icon ଆଜିକାଲି

କୋଟାରେ ବିଷ ପିଇ ଜୀବନ ହାରିଲେ ଆଉ ଜଣେ କୋଚିଂ ଛାତ୍ରୀ

ନୂଆଦିଲ୍ଲୀ : କୋଚିଂ ସହର କୋଟାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣଙ୍କ ପରେ ଜଣେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ସୋମବାର ଏମିତି ଆଉ ଜଣେ କୋଚିଂ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀ ଉତ୍ତର ପ୍ରଦେଶର ମାଉ ସହରର ବାସିନ୍ଦା ଥିଲେ। ଏଠାରେ ସେ ବିଜ୍ଞାନନଗରସ୍ଥିତ ଏକ ହଷ୍ଟେଲରେ ରହି ନିଟ କୋଚିଂ ନେଉଥିଲେ।

ମିଳିଥିବା ସୂଚନା ଅନୁସାରେ, କୋଚିଂ ସେଣ୍ଟର ବାହାରେ ଛିଡ଼ା ହୋଇ ଛାତ୍ରୀ ଜଣକ ବାନ୍ତି କରୁଥିବାର ଦେଖି ସେଠାରେ ଉପସ୍ଥିତ ଅନ୍ୟ ଛାତ୍ରୀମାନେ ଏ ନେଇ କୋଚିଂ ସଞ୍ଚାଳକଙ୍କୁ ଜଣାଇଥିଲେ। ଏହାପରେ ଛାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତଲୱାଣ୍ଡିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋଚିଂ ଯିବା ପୂର୍ବରୁ ହିଁ ଛାତ୍ରୀ ବିଷ ପିଇ ଦେଇଥିଲେ, ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବିଜ୍ଞାନନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ପରେ ହିଁ ଆତ୍ମହତ୍ୟାର କାରଣ ଜଣାପଡିବ। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

Exit mobile version