Site icon ଆଜିକାଲି

ନ୍ୟାୟପାଳିକା ବିରୋଧୀ ମନ୍ତବ୍ୟ: ଉପରାଷ୍ଟ୍ରପତି ଓ ଆଇନ ମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ସଂକ୍ରାନ୍ତରେ ନ୍ୟାୟପାଳିକା ଏବଂ କଲେଜିୟମ ବ୍ୟବସ୍ଥା ବିରୋଧରେ ମନ୍ତବ୍ୟ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ଉଭୟଙ୍କ ବିରୋଧରେ ଏକ ଜନସ୍ବାର୍ଥ ମାମଲା ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଦାୟର ଏକ ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି ।

ନ୍ୟାୟପାଳିକା ବିରୋଧୀ ମନ୍ତବ୍ୟ ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଟିସନରେ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ କିନ୍ତୁ ଏହି ପିଟିସନ ଶୁଣାଣି ଯୋଗ୍ୟ ନୁହେଁ‌ ବୋଲି କହିଛନ୍ତି । ବମ୍ବେ ଲୟର୍ସ ଆସୋସିଏସନ୍ ନାମକ ଏକ ସଂସ୍ଥା ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା । ପିଟିସନରେ ସେମାନେ ଅଭିଯୋଗ କରିଥିଲେ ଯେ ରାଜ୍ୟପାଳ ଓ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ସମ୍ମାନ ବିରୋଧରେ ବୟାନ ଦେଇଛନ୍ତି । ତେଣୂ ସେମାନେ ସାମ୍ବିଧାନିକ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି।

ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛି। ଏହି ଆବେଦନରେ ଅଭିଯୋଗ ହୋଇଥିଲା ଯେ ରିଜିଜୁ ଏବଂ ଧନଖଡ ନିଜ ମନ୍ତବ୍ୟ ଏବଂ ଆଚରଣ ଦ୍ୱାରା ସମ୍ବିଧାନରେ ଆସ୍ଥାର ଅଭାବ ବ୍ୟକ୍ତ କରିଛନ୍ତି। ଓକିଲଙ୍କ ସଂସ୍ଥା କହିଥିଲା ଯେ ଦୁଇ ନେତାଙ୍କ ମନ୍ତବ୍ୟ କେବଳ ନ୍ୟାୟପାଳିକା ଉପରେ ନୁହେଁ ବରଂ ସୁପ୍ରିମକୋର୍ଟଙ୍କ ସମ୍ମାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସିଷ୍ଟମ ଉପରେ କିରେନ ରିଜିଜୁ ବହୁଥର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଏହି ବ୍ୟବସ୍ଥା ଅସ୍ପଷ୍ଟ ଏବଂ ଅସ୍ବଚ୍ଛ। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଧନଖଡ ୧୯୭୩ର କେସବାନନ୍ଦ ଭାରତୀ ମାମଲା ଉପରେ ସୁପ୍ରିମକୋର୍ଟ ରାୟକୁ ସମାଲୋଚନା କରିଥିଲେ ।

Exit mobile version