Site icon ଆଜିକାଲି

ଆପ୍ କବଜାରେ କଂଗ୍ରେସ ଗଡ଼, ଜଳନ୍ଧର ଲୋକସଭା ଉପନିର୍ବାଚନ ଜିତିଲେ ଆପ୍ ପ୍ରାର୍ଥୀ ସୁଶୀଲ ରିଙ୍କୁ

ଜଳନ୍ଧର: କଂଗ୍ରେସର ଗଡ଼ ରହିଆସିଥିବା ପଞ୍ଜାବର ଜଳନ୍ଧର ଲୋକସଭା ଆସନକୁ ଦଖଲ କରିନେଇଛି ଆମ୍ ଆଦମୀ ପାର୍ଟି (ଆପ୍) । ଜଳନ୍ଧର ଲୋକସଭା ଆସନ ପାଇଁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ ବୃହତ ବିଜୟ ହାସଲ କରିଛନ୍ତି । କଂଗ୍ରେସ, ବିଜେପି, ଅକାଳୀ-ବିଏସପି ଭଳି ଦଳକୁ ଚିତ୍ କରି ଆପ୍ ଏହି ଲୋକସଭା ଆସନ କବଜା କରିଛି । ଆପ୍ ପ୍ରାର୍ଥୀ ରିଙ୍କୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର କରମଜିତ କୌରଙ୍କୁ ୫୮,୬୪୭ ଭୋଟରେ ହରାଇଛନ୍ତି।

ଜଳନ୍ଧରରେ ଗତ ୨୪ ବର୍ଷରେ କଂଗ୍ରେସର ଏହା ପ୍ରଥମ ପରାଜୟ । ଦଳ ୧୯୯୯ ମସିହାରୁ ଏହି ଲୋକସଭା ଆସନରୁ ଜିତି ଆସୁଥିଲା।

ଜାନୁଆରୀରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା। କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଚୌଧୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଜଳନ୍ଧର ଉପନିର୍ବାଚନରେ ବିଜୟ ସହ ଲୋକସଭାରେ ଆମ୍ ଆଦମୀ ପାର୍ଟିର ପୁନଃ ପ୍ରବେଶ ହୋଇଛି । ଦଳର ଏକମାତ୍ର ସାଂସଦ ଭଗଓ୍ବନ୍ତ ମାନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।

Exit mobile version