Site icon ଆଜିକାଲି

ଗିରଫ ଆତଙ୍କବାଦୀର ଖୁଲାସା, ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର କଲୋନେଲ୍ ଦେଇଥିଲେ ୩୦ ହଜାର ଟଙ୍କା

ନୂଆଦିଲ୍ଲୀ: ପାକିସ୍ତାନ ସଂଲଗ୍ନ ଆନ୍ତର୍ଜାତୀୟ ସୀମା (ଏଲ୍ଓସି) ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ଭାରତୀୟ ସେନା ଏକ ବଡ଼ ଖୁଲାସା କରିଛି। ସେନା ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ । ଗିରଫ ଆତଙ୍କବାଦୀ ସେନା ନିକଟରେ ଏହି ଖୁଲାସା କରିଛି । ଗତ କିଛି ଦିନ ତଳେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସୀମା ପାର କରିବାକୁ ଚେଷ୍ଟା କରୁଥିବାବେଳେ ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ସେନା ଦ୍ଵାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୨୧ ଅଗଷ୍ଟ ସକାଳେ ନୌଶେରା ଅଞ୍ଚଳର ଝାଙ୍ଗର ସେକ୍ଟରରେ ମୁତୟନ ସୈନିକମାନେ ଏଲ୍ଓସି ନିକଟରେ ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ । ଜଣେ ଆତଙ୍କବାଦୀ ଭାରତୀୟ ପୋଷ୍ଟର ନିକଟବର୍ତ୍ତୀ ହୋଇ ବାଡ଼ କାଟିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଏହି ଆତଙ୍କବାଦୀ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସୈନିକମାନେ ଗୁଳି ଚଳାଇଥିଲେ । ଏଥିରେ ଆତଙ୍କବାଦୀ ଗୁରୁତର ଆହତ ହୋଇଥିଲା। ପରେ ତାକୁ କାବୁ କରାଯାଇଥିଲା | ସେନା ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟ ଦୁଇ ଆତଙ୍କବାଦୀ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ପାକିସ୍ତାନ ଅଧିକୃତ ଅଞ୍ଚଳକୁ ପଳାଇବାରେ ସଫଳ ହୋଇଥିଲେ। ଆହତ ଆତଙ୍କବାଦୀଙ୍କୁ ଗିରଫ କରାଯାଇ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଆତଙ୍କବାଦୀ ଜଣକ ତବାରକ ହୁସେନ୍ ବୋଲି ପାକିସ୍ତାନ ଅଧିକୃତ କାଶ୍ମୀରର କୋଟଲି ଜିଲ୍ଲାର ସବଜକର୍ଟ ଗାଁର ବାସିନ୍ଦା ବୋଲି ଜଣାପଡିଛି । ପଚରାଉଚରା ବେଳେ ଗିରଫ ଆତଙ୍କବାଦୀ ତବାରକ ହୁସେନ୍ କହିଛି ଯେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର କର୍ଣ୍ଣେଲ ୟୁନୁସ ଚୌଧୁରୀ ତାଙ୍କୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ପଠାଇଛନ୍ତି। ଭାରତୀୟ ସେନା ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ କର୍ଣ୍ଣେଲ ଚୌଧୁରୀ ତାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ।

ସେନାର ସୂଚନାନୁସାରେ, ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଭାଇ ହାରୁନ ଅଲିଙ୍କ ସହ ୨୦୧୬ରେ ଗିରଫ କରାଯାଇଥିଲା ଏବଂ ନଭେମ୍ବର ୨୦୧୭ରେ ମାନବିକତା କାରଣରୁ ସୀମା ପଠାଇ ମୁକ୍ତ କରାଯାଇଥିଲା।

Exit mobile version