Site icon ଆଜିକାଲି

ଆଇସିସି ଉଦୀୟମାନ କ୍ରିକେଟର ପୁରସ୍କାର ଦୌଡ଼ରେ ଅର୍ଶଦୀପ

ଦୁବାଇ: ଭାରତର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ଉଦୀୟମାନ କ୍ରିକେଟ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।‌ ଅର୍ଶଦୀପଙ୍କ ସହ ଏହି ପୁରସ୍କାର ଦୌଡ଼ରେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍, ନ୍ୟୁଜିଲାଣ୍ଡର ଫିନ୍ ଆଲେନ୍ ଏବଂ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରାନ ମଧ୍ୟ ରହିଛନ୍ତି । ଏହି ପୁରସ୍କାର ପାଇଁ ଭୋଟ୍ ଜାନୁଆରୀରୁ ଆରମ୍ଭ ହେବ ବୋଲି ଆଇସିସି ଏକ ବିବୃତ୍ତିରେ କହିଛି ।

ଆନ୍ତର୍ଜାତିକ ପଦାର୍ପଣ କରିବାର ୬ ମାସରୁ କମ୍ ସମୟ ମଧ୍ୟରେ ଅର୍ଶଦୀପ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ଦ୍ରୁତ ବୋଲର ଏଯାବତ ୧୮.୧୨ ଆଭରେଜରେ ୨୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୩ ୱିକେଟ୍ ନେଇଛନ୍ତି | ଉଭୟ ନୂଆ ଏବଂ ପୁରୁଣା ବଲ ସହ ୱିକେଟ୍ ପାଇବାରେ ଆର୍ଶଦୀପ ସଫଳ ହୋଇଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚିତ୍ତାକର୍ଷକ ପ୍ରଦର୍ଶନ ପରେ ଅର୍ଶଦୀପ ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ନିକଟରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଅର୍ଶଦୀପ ନିଜର ଦିନିକିଆ ଡେବ୍ୟୁ କରିଥିଲେ।

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ଟି-୨୦ ବିଶ୍ୱକପ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଳ୍ପ ସମୟ ମଧ୍ୟରେ ଅର୍ଶଦୀପ କିଛି ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି।ତାଙ୍କ ଗତି ଏବଂ ସ୍ୱିଙ୍ଗ୍ ଯୋଗୁଁ ଅର୍ଶଦୀପ ଉଭୟ ପାକିସ୍ତାନ ଓପନର ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ପାଭିଲିୟନକୁ ପଠାଇଥିଲେ। ଫାଷ୍ଟ ବୋଲର ଡେଥ୍ ଓଭରରେ ମଧ୍ୟ ଆସିଫ ଅଲୀଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଅର୍ଶଦୀପ ସେହି ମ୍ୟାଚରେ ୩୨ ରନ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହି ପୁରସ୍କାର ପାଇଁ ଦକ୍ଷିଣ ଆଫ୍ରିକାର ବାମହାତୀ ପେସର ଜାନସେନ୍, ନ୍ୟୁଜିଲ୍ୟାଣ୍ଡର ଓପନର୍ ଆଲେନ୍ ଏବଂ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଜାଦ୍ରାନ୍ ଅର୍ଶଦୀପଙ୍କୁ ଚ୍ୟାଲେଞ୍ଜ ଦେବେ।

Exit mobile version