Site icon ଆଜିକାଲି

ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ ମଙ୍ଗଳବାର ଅପରାହ୍ନରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ସହିତ ଆତିଶୀଙ୍କ ସମେତ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବା ଲାଗି ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି ।

ମଙ୍ଗଳବାର ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଖୁବଶୀଘ୍ର ସେ ରହୁଥିବା ସିଭିଲ୍‌ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବେ। ଏହି ବଙ୍ଗଳାରେ କେଜ୍ରିଓ୍ୱାଲ ତାଙ୍କ ପତ୍ନୀ ସୁନୀତା, ନିଜର ପିଲା ଓ ବାପା-ମା’ଙ୍କ ସହ ରହୁଛନ୍ତି। ବଙ୍ଗଲା ଛାଡ଼ିବା ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ଅପରାହ୍ନରେ ଉପ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ଦିନ ୧୧ଟାରେ ବସିଥିଲା। ଏହି ସମୟରେ କେଜ୍ରିୱାଲ ତାଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ଏହାପରେ ଅପରାହ୍ନରେ ଆତିଶୀଙ୍କୁ ସାଙ୍ଗରେ ଧରି କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ନିଜର ଇସ୍ତଫାପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ।

Exit mobile version