Site icon ଆଜିକାଲି

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍

ଅହମ୍ମଦାବାଦ: ଜଣେ ମହିଳା ଭକ୍ତଙ୍କୁ ବଳାତ୍କାର ମାମଲାରେ ଗାନ୍ଧିନଗର ସେସନ୍ସ କୋର୍ଟ ମଙ୍ଗଳବାର ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ଏହି ମାମଲାରେ ଗତକାଲି ୮୦ ବର୍ଷୀୟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଘୋଷଣା କରିଛନ୍ତି । ଆଶାରାମଙ୍କ ବିରୋଧରେ ଏହି ମାମଲା ୨୦୧୩ରେ ରୁଜୁ ହୋଇଥିଲା। ପ୍ରମାଣ ଅଭାବରୁ ଆଶାରାମଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଅହମ୍ମଦାବାଦର ଚାନ୍ଦଖେଡା ଥାନାରେ ଦାଖଲ ଏତଲା ଅନୁଯାୟୀ, ୨୦୦୧ ରୁ ୨୦୦୬ ମଧ୍ୟରେ ଆଶାରାମ ତାଙ୍କ ସୁରଟ ଆଶ୍ରମରେ ଉକ୍ତ ମହିଳାଙ୍କୁ ଅନେକ ଥର ବଳାତ୍କାର କରିଥିଲେ ।

ସୁରଟ ନିବାସୀ ମହିଳା ଜଣକ ଅକ୍ଟୋବର ୨୦୧୩ରେ ବଳାତ୍କାର ଏବଂ ବେଆଇନ ଅଟକ ରଖିବା ଅଭିଯୋଗରେ ଆଶାରାମ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଜୁଲାଇ ୨୦୧୪ରେ ଏହି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ଅନ୍ୟ ଏକ ବଳାତ୍କାର ମାମଲାରେ ମଧ୍ୟ ଆଶାରାମ ବାପୁ ସମ୍ପ୍ରତି ରାଜସ୍ଥାନର ଯୋଧପୁର ଜେଲରେ ଅଛନ୍ତି ।

ପୀଡିତାଙ୍କ ସାନ ଭଉଣୀକୁ ବଳାତ୍କାର ଓ ବେଆଇନ ଅଟକ ରଖିବା ଅଭିଯୋଗ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ମଧ୍ୟ ଏପ୍ରିଲ୍ ୨୦୧୯ରେ ସୁରଟ ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Exit mobile version