Site icon ଆଜିକାଲି

ଅଶ୍ୱିନ ବିଶ୍ବର ଏକ ନମ୍ବର ବୋଲର

ଦୁବାଇ : ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ମାନ୍ୟତାରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ଅଶ୍ୱିନଙ୍କର ବର୍ତ୍ତମାନ ୮୬୪ ପଏଣ୍ଟ ଥିବାବେଳେ ଆଣ୍ଡରସନ ୮୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ମୋଟ ୬ଟି ୱିକେଟ୍ ନେଇଥିଲେ। ସେହି ପ୍ରଦର୍ଶନ ବଳରେ ଅଶ୍ୱିନ୍ ବୋଲରଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୱେଲିଙ୍ଗଟନ୍ ଟେଷ୍ଟରେ ଇଂଲଣ୍ଡର ପରାଜୟ ସହ ଆଣ୍ଡରସନ ମଧ୍ୟ ଏକ ନମ୍ବର ସ୍ଥାନ ହରାଇଛନ୍ତି । ଅଶ୍ୱିନ୍ ୨୦୧୫ରେ ପ୍ରଥମ ଥର ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ ।

ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟରେ ଅଶ୍ୱିନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମ ଇନିଂସରେ ଆଲେକ୍ସ କେରିଙ୍କୁ ଶୂନରେ ଆଉଟ୍ କରିବା ପରେ ମାର୍ନୁସ ଲାବୁସେନ ଏବଂ ଷ୍ଟିଭ ସ୍ମିଥଙ୍କୁ ଗୋଟିଏ ଓଭରରେ ଆଉଟ୍ କରିଥିଲେ ଅଶ୍ବିନ। ଦ୍ୱିତୀୟ ଇନିଂସରେ ମଧ୍ୟ ଅଶ୍ୱିନ୍ ଅଷ୍ଟ୍ରେଲିଆର ଟପ୍ ପାଞ୍ଚ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ତିନିଜଣଙ୍କୁ ନିଜ ଶିକାର ବନାଇଥିଲେ । ଅବଶିଷ୍ଟ ଓ୍ବିକେଟ୍ ରବୀନ୍ଦ୍ର ଜାଡେଜା ନେଇଥିଲେ ।

ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ଭାରତର ଯସପ୍ରୀତ ବୁମରା ୭୯୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଜାଡେଜା ୭୬୩ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିଲ୍ଲୀ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜା ମୋଟ ୧୦ ୱିକେଟ୍ ନେଇଥିଲେ।

ସେହିପରି ଟେଷ୍ଟ ଅଲରାଉଣ୍ଡର ମାନ୍ୟତା ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଜାଡେଜା ପ୍ରଥମ ସ୍ଥାନରେ ଅଛନ୍ତି। ଟେଷ୍ଟ ବ୍ୟାଟ୍ସମ୍ୟାନ୍ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁସେନ୍ ୯୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୮୭୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମ ବ୍ୟାଟ୍ସମ୍ୟାନ୍ ତାଲିକାରେ ଗୋଟିଏ ସ୍ଥାନ ହରାଇଛନ୍ତି । ସେ ୮୬୨ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ୮୭୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି।

Exit mobile version